ଆଠଗଡ଼ ବନଖଣ୍ଡର ବହୁ ଚର୍ଚ୍ଚିତ ହାତୀ କଙ୍କାଳ ମିଳିବା ଘଟଣା; ଫେରାର ଫରେଷ୍ଟରଙ୍କୁ ଗିରଫ କଲା ବନବିଭାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଠଗଡ଼ ବନଖଣ୍ଡ ବଡ଼ମ୍ୱା ରେଞ୍ଜର ବହୁ ଚର୍ଚ୍ଚିତ ହାତୀ କଙ୍କାଳ ମିଳିବା ଘଟଣାରେ ଫେରାର ଥିବା ଫରେଷ୍ଟର ପ୍ରଦୀପ ପରିଡ଼ାଙ୍କୁ ଆଠଗଡ଼ ବନ ବିଭାଗ ଗିରଫ କରିଛି। ସୂଚନା ଯୋଗ୍ୟ ଯେ, ଗତ ଜୁନ୍‌ ୨ ତାରିଖରେ ବଡ଼ମ୍ୱା ରେଞ୍ଜ ଗୋପପୁର ସେକ୍ସନରୁ ଗୋଟିଏ ଦନ୍ତାହାତୀର କଙ୍କାଳ ଏସ୍‌ଟିଏଫ୍‌ ଟିମ୍‌ ଜବତ କରିଥିଲା । ସେହିପରି ୩ ତାରିଖରେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ଆଉ ଏକ ମାଈ ହାତୀର କଙ୍କାଳ ମଧ୍ୟ ତଦନ୍ତକାରୀ ଦଳ ଜବତ କରିଥିଲା । ପୁଣି ୧୪ ତାରିଖ ଦିନ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଜାଦବ ଆଉ ଏକ ଦନ୍ତାହାତୀର କଙ୍କାଳ ଉକ୍ତ ଅଞ୍ଚଳରୁ ଜବତ କରିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଏହି ଘଟଣାର ବିଭାଗୀୟ ତଦନ୍ତ କରାଯାଇ ଦୁଇ ଜଣ ଫରେଷ୍ଟ ଗାର୍ଡ, ଚାରିଜଣ ହାତୀ ଜଗୁଆଳି ଏବଂ ଜଣେ ଜମି ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ବଡ଼ମ୍ୱା ରେଞ୍ଜ ଦାୟିତ୍ୱରେ ଥିବା ଫରେଷ୍ଟର ମନାଜ କୁମାର ଦାସ ଏବଂ ଗାପପୁର ସେକ୍ସନ ଦାୟିତ୍ୱରେ ଥିବା ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ସେବେଠାରୁ ଫେରାର ଥିଲେ । ସେମାନଙ୍କୁ ନିଲମ୍ୱିତ କରିବା ସହିତ ସେମାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା ।

ସୋମବାର ଫେରାର ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ହାଇକୋର୍ଟରୁ ଆଗୁଆ ଜାମିନ ପାଇବା ପରେ ଖୁଣ୍ଟୁଣୀ ରେଞ୍ଜରେ କାର୍ଯ୍ୟରେ ଯୋଗ ଦେବାକୁ ଗଲାବେଳେ ଆଠଗଡ଼ ବନବିଭାଗ ଖୁଣ୍ଟୁଣୀ ପୁଲିସ ସହାୟତାରେ ତାଙ୍କୁ ଗିରଫ କରାଯାଇଛି। ଏନେଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଜାଦବ ସୂଚନା ଦେଇଛନ୍ତି । ଗିରଫ ପ୍ରଦୀପ ଗତ ଜୁନ ୨ ତାରିଖ ଦିନ ଘଟିଥିବା ମାମଲାରେ ଜାମିନ ପାଇଥିବା ବେଳେ ଅନ୍ୟ ଦୁଇଟି ମାମଲାରେ ତାଙ୍କୁ ଗିରଫ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଗିରଫ ଫରେଷ୍ଟର ପ୍ରଦୀପଙ୍କୁ ରିମାଣ୍ଡରେ ଆଣି ହାତୀ ମୃତ୍ୟୁ ମାମଲା ରେ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Related Posts