ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜବାହର୍‌ଲାଲ୍‌ ନେହେରୁ ଓ ଅଟଳବିହାରୀ ବାଜପେୟୀଙ୍କ ନିର୍ବୋଧତା ଯୋଗୁଁ ତିବ୍ବତ ଓ ତାଇୱାନ୍‌ ଚୀନ୍‌ର ଅଂଶବିଶେଷ ବୋଲି ଭାରତୀୟମାନେ ସ୍ବୀକାର କରିଛନ୍ତି। ଏହି ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ‘ବିଜେପି’ ନେତା ସୁବ୍ରମଣିୟାନ୍‌ ସ୍ବାମୀ ।

ଏନେଇ ଏକ ଟୁଇଟ୍‌ କରି ସୁବ୍ରମଣିୟାନ୍‌ ସ୍ବାମୀ ଲେଖିଛନ୍ତି ଯେ, ପାରସ୍ପରିକ ସହମତିରେ ଚିହ୍ନିତ ‘ବାସ୍ତବ ନିୟନ୍ତ୍ରଣ ରେଖା’କୁ (ଏଲ୍‌ଏସି) ମଧ୍ୟ ଚୀନ୍‌ ବେଖାତିର କରି ଲଦାଖର କିଛି ଅଞ୍ଚଳ ମାଡ଼ିବସିଛି।ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ତୀବ୍ର ସମାଲୋଚନା କରି କହିଛନ୍ତି, ଚୀନ୍‌ ଲଦାଖର କିଛି ଅଞ୍ଚଳ ଦଖଲ କରିଥିବା ବେଳେ ‘କେହି ଆସି ନାହାନ୍ତି’ କହି ମୋଦୀ ଶୋଇ ପଡିଛନ୍ତି।

ସୂଚନାଯୋଗ୍ୟ, ଚୀନ୍‌ର ବାରମ୍ବାର ସତର୍କତା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍‌ସି ପିଲୋସିଙ୍କ ତାଇୱାନ୍‌ ଗସ୍ତ କରିଥିବା ବେଳେ ସୁବ୍ରମଣିୟାନ୍‌ ସ୍ବାମୀ ଉପରୋକ୍ତ ବିବୃତି ଦେଇଛନ୍ତି।