ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଶେଷ ହେବା ପରେ ସିଏଏ ଲାଗୁ କରାଯିବ : ଅମିତ୍ ଶାହା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ଚାଲିଥିବା କୋଭିଡ୍‌ ଟିକାକରଣ ଅଭିଯାନ ଶେଷ ହେବା ପରେ ନାଗରିକତ୍ୱ ଆଇନ(ସିଏଏ) ଲାଗୁ କରାଯିବ ବୋଲି ଗୃହ ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଉକ୍ତ ଆଇନ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ବେଆଇନ ଭାବେ ଆସି ଭାରତରେ ରହିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ୍‌ମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ।

ତେବେ ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସଂସଦ ଭବନ ପରିସରରେ ଅମିତ୍ ଶାହାଙ୍କୁ ଭେଟିବା ବେଳେ ସେ ଉପରୋକ୍ତ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି। ଏହି ସାକ୍ଷାତକାର ସମୟରେ ଶୁଭେନ୍ଦୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗରେ ଭାଜପାର ବିଭିନ୍ନ କାର୍ଯ୍ୟକ୍ରମ ଓ ସାଂଗଠନିକ ପ୍ରସଙ୍ଗରେ ଅବଗତ କରାଇଥିଲେ। ଗତ ଏପ୍ରିଲରୁ ଦେଶରେ କୋଭିଡ୍‌ ଟିକାର ପ୍ରିକଶନ ଡୋଜ୍‌ ଦିଆଯିବା ଆରମ୍ଭ ହୋଇଥିଲା। ୯ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବାନେଇ ଆଶା କରାଯାଉଛି।

Related Posts