ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ଯୁକ୍ତ୩ରେ ସିଟ୍‌ ସଂଖ୍ୟା ବୃଦ୍ଧି ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖବର ମିଳିଛି। ଚଳିତବର୍ଷ ଯୁକ୍ତ୨ ପାସ୍‌ ହାର ତୁଳନାରେ ରାଜ୍ୟର ପ୍ରମୁଖ ଡିଗ୍ରୀ କଲେଜଗୁଡିକରେ ଯେତିକି ସିଟ୍‌ ରହିଛି ତାହା ନିଅଣ୍ଟ ପଡିବ। ତେଣୁ ଯୁକ୍ତ୩ରେ ସିଟ୍‌ ସଂଖ୍ୟାକୁ ବୃଦ୍ଧି କରାନଗଲେ ଏଥର ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ରହିବେ।ତେବେ ବର୍ତ୍ତମାନ ସୁଦ୍ଧା ଯୁକ୍ତ୨ ପରିଷଦ ପକ୍ଷରୁ କେବଳ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ସିବିଏସ୍‌ଇ ଏବଂ ଆଇସିଏସ୍‌ଇର ରେଜଲ୍ଟ ପ୍ରକାଶ ପାଇ ସାରିଛି। ଆଗକୁ କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବ।

ଚଳିତ ଶିକ୍ଷା ବର୍ଷରେ ଯୁକ୍ତ୩ରେ ନାମଲେଖା ପାଇଁ ଆବେଦନକାରୀଙ୍କ ସଂଖ୍ୟା ସର୍ବାଧିକ ୨ଲକ୍ଷ ୭୫ହଜାରରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। କିନ୍ତୁ ରାଜ୍ୟରେ ଯୁକ୍ତ୩ରେ ମୋଟ୍‌ ସିଟ୍‌ ସଂଖ୍ୟା ୨ଲକ୍ଷ ୪୯ହଜାର ୪୫୩ ରହିଛି। ତେଣୁ ବିଜ୍ଞାନରେ ପ୍ରାୟ ୧୫% ଏବଂ କଳାରେ ୨୦% ସିଟ୍‌ ବୃଦ୍ଧି କରିବାକୁ ଯୋଜନା ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି।