ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବୃଦ୍ଧି ପାଇଲା +୩ ନାମଲେଖା ଅବଧି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଉତ୍ପନ୍ନ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖ ନିର୍ଦ୍ଧାରିତ ହୋଇଛି। ସେହିପରି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୭ରେ ପ୍ରକାଶ ପାଇବ ଏବଂ ୭ରୁ ୧୧ ତାରିଖ ମଧ୍ୟ‌ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ୭ ତାରିଖ ଅପରାହ୍ନ ୨ଟାରୁ ୧୧ ତାରିଖ ମଧ୍ୟରେ ନାମଲେଖାଇଥିବା ଛାତ୍ରଛାତ୍ରୀ ସ୍ଲାଇଡ୍‌-ଅପ୍‌ ଅପସନ୍‌ ଫର୍ମ ଅନ୍‌ଲାଇନ୍‌ରେ ଦାଖଲ କରିପାରିବେ।

୧୬ ତାରିଖ ଅପରାହ୍ନ ୨ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ୧୬ ରୁ ୧୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ୨୦ ତାରିଖ ଅପରାହ୍ନ ୨ଟାରେ ବିଭାଗ ପକ୍ଷରୁ ସାମସ୍‌ର ୱେବସାଇଟ୍‌ର ଇ-ସ୍ପେସ୍‌ରେ ଖାଲିଥିବା ସିଟ୍‌ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯିବ। ଏହାପରେ ସ୍ପଟ୍ ନାମଲେଖା ପାଇଁ ସେପ୍ଟେମ୍ବର ୨୧ରୁ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ୨୮ ତାରିଖରେ ସ୍ପଷ୍ଟ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବା ସହ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ଏହାର ସମ୍ପୂର୍ଣ୍ଣ ବିବରଣୀ ସାମ୍‌ସ ୱେବସାଇଟ୍‌ www.samsodisha.gov.in ରେ ଉପଲବ୍ଧ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଏହି ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଥିବା ସୂଚନା ମିଳିଛି।

Related Posts