ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଟିକନାଥ ଭଇଁସାଲ ଜଣେ ଭେଣ୍ଡରଙ୍କ ନିକଟରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏ ନେଇ ଭିଜିଲାନ୍ସ ଟିମ୍‌ ଏକ ମାମଲା (ନଂ.୧୫/୨୨) ରୁଜୁକରି ଯନ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ସୁନ୍ଦରଗଡ଼ ଜିଲାରେ ଥିବା ଟିକନାଥଙ୍କ ବାସଭବନ ସାଙ୍ଗକୁ ଲଖନପୁର ସ୍ଥିତ ସରକାରୀ କ୍ୱାର୍ଟର୍ସରେ ଚଢ଼ାଉ ଚାଲିଛି। ଏପରି କି ଅଧିକାରମାନେ ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି। ଚଢ଼ାଉରେ ଝାରସୁଗୁଡ଼ା ଭିଜିଲାନ୍ସ ଡିଏସ୍‌ପି ପ୍ରଦୀପ କୁମାର ଆଇନ୍ଦ୍‌, ଦେବଗଡ଼ ଭିଜିଲାନ୍ସ ଡିଏସ୍‌ପି ଯୋଗେଶ ପଟେଲ ପ୍ରମୁଖ ସାମିଲ ହୋଇଛନ୍ତି।

ସୂଚନା ଅନଯାୟୀ ପିଥିଣ୍ଡା ଗ୍ରାମର କୌଶଳ ବେହେରା ନାମକ ଜଣେ ଭେଣ୍ଡରଙ୍କ ବକେୟା ବିଲ୍‌ ପାସ୍‌ କରିଦେବା ପାଇଁ କନିଷ୍ଠଯନ୍ତ୍ରୀ ଭଇଁସାଲ ତାଙ୍କୁ ୨୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଭେଣ୍ଡର ବେହେରା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ରାଉରକେଲା ଭିଜିଲାନ୍ସ ଏସ୍‌ପି ଦେବନାରାୟଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ଓ ଦେବଗଡ଼ ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ପ୍ରସ୍ତୁତ ହୋଇ ରହିଥିବା ବେଳେ କନିଷ୍ଠଯନ୍ତ୍ରୀ ଭେଣ୍ଡରଙ୍କ ନିକଟରୁ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା।