ନ୍ୟୁୟର୍କ : ଭାରତ ଜନ୍ମିତ ବିଶିଷ୍ଟ ବ୍ରିଟିଶ ଲେଖକ ସଲମାନ ରୁଶ୍‌ଦିଙ୍କ ଉପରେ ଆକ୍ରମଣ । ଶୁକ୍ରବାର ଦିନ ନ୍ୟୁୟର୍କରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କ ବେକରେ ଗଭୀର ଆଘାତ ଲାଗିଥିଲା ବେଳେ, ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ଆକ୍ରମଣକାରୀକୁ ପୁଲିସ କାବୁ କରିଥିବା ବେଳେ ତାର ପରିଚୟ ଜଣାପଡ଼ି ନାହିଁ। ଆକ୍ରମଣ ପଛର କାରଣ ମଧ୍ୟ ଜଣାପଡ଼ି ନାହିଁ। ତେବେ ଏକ ବିବାଦୀୟ ପୁସ୍ତକ ପାଇଁ ୧୯୮୯ରୁ ତାଙ୍କୁ ହତ୍ୟା ଧମକ ମିଳୁଥିଲା।

ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଆମେରିକାର ପଶ୍ଚିମ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଚୌତୌକ୍ବାସ୍ଥିତ ଚୌତୌକ୍ବା ପ୍ରତିଷ୍ଠାନର ମଞ୍ଚ ଉପରେ ୭୫ ବର୍ଷୀୟ ରୁଶଦି ଭାଷଣ ଦେବାକୁ ଯାଉଥିବା ବେଳେ ତାଙ୍କୁ ଜଣେ ଯୁବକ ଛୁରାମାଡ଼ କରିଥିଲା। ସ୍ଥାନୀୟ ସମୟ ଦିନ ୧୧ଟା (ଭାରତୀୟ ସମୟ ସନ୍ଧ୍ୟା ୮ଟା ୩୦)ରେ ଏହି ଆକ୍ରମଣ ହୋଇଥିଲା। ତାଙ୍କ ବେକରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ହେଲିକପ୍ଟରରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହେଲିକପ୍ଟର ପର୍ଯ୍ୟନ୍ତ ତାଙ୍କୁ ଷ୍ଟ୍ରେଚରରେ ଅଣାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ତାଙ୍କୁ ଆକ୍ରମଣକାରୀ ମଞ୍ଚରେ ୧୫/୨୦ ଥର ମୁଥ ମାରିବା ସହିତ ଛୁରାମାଡ଼ କରିଥିଲା। ତାହାପରେ ସେ ତଳେ ପଡ଼ିଯାଇଥିଲେ। ମଞ୍ଚରେ ତାଙ୍କୁ ଆଶୁ ଚିକିତ୍ସା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଆକ୍ରମଣକାରୀକୁ ସେଠାରେ ଉପସ୍ଥିତ ଅନ୍ୟ ବ୍ୟକ୍ତିମାନେ ଧରି ପକାଇଥିଲେ। ନ୍ୟୁୟର୍କ ପୁଲିସ ଆକ୍ରମଣକାରୀକୁ ନିଜ ହେପାଜତକୁ ନେଇଛି। ରୁଶଦିଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ସେହିଭଳି ଆକ୍ରମଣ ପଛର ଉଦ୍ଦେଶ୍ୟ ମଧ୍ୟ ଜଣାପଡ଼ିନାହିଁ।

ଉଲ୍ଲେଖଯୋଗ୍ୟ ଯେ ରୁଶଦି ତାଙ୍କର ଉପନ୍ୟାସ ‘ଦ ସାଟାନିକ୍‌ ଭ‌ର୍ସେସ୍‌’ ପାଇଁ ବିବାଦୀୟ ହୋଇ ପଡ଼ିଥିଲେ। ସେ ଇସଲାମର ଅପବିତ୍ରୀକରଣ କରିଥିବା ଅଭିଯୋଗ ହୋଇଥିଲା। ୧୯୮୮ ମସିହାରେ ଇରାନରେ ଉକ୍ତ ପୁସ୍ତକକୁ ନିଷିଦ୍ଧ କରାଯାଇଥିଲା। ଏହାର ପରବର୍ଷ ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୁଲ୍ଲା ରୁହୁଲ୍ଲା ଖୋମିନି ରୁଶ୍‌ଦିଙ୍କ ବିରୋଧରେ ଫତୱା ଜାରି କରିଥିଲେ। ରୁଶ୍‌ଦିଙ୍କୁ ଯିଏ ହତ୍ୟା କରିବ ତାକୁ ପ୍ରାୟ ୩ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଖୋମିନିଙ୍କ ମୃତ୍ୟୁ ପରେ ଯଦିଓ ଇରାନ ସରକାର ସେହି ଘୋଷଣାରୁ ନିଜକୁ ଦୂରେଇ ନେଇଥିଲେ ତଥାପି ରୁଶ୍‌ଦି ବିରୋଧୀ ମନୋଭାବ ଅନେକ ବ୍ୟକ୍ତିଙ୍କ ମଧ୍ୟରେ ରହିଥିଲା।

୨୦୧୨ରେ ଇରାନର ଏକ ଅର୍ଦ୍ଧ ସରକାରୀ ଧାର୍ମିକ ସଂଗଠନ ରୁଶ୍‌ଦିଙ୍କ ହତ୍ୟା ବାବଦ ପୁରସ୍କାର ରାଶିକୁ ୩.୩ ନିୟୁତ ଡଲାରକୁ ବୃଦ୍ଧି କରିଥିଲା। ସେହି ସମୟରେ ରୁଶ୍‌ଦି ଅବଶ୍ୟ ତାହାକୁ ହେୟଜ୍ଞାନ କରିଥିଲେ। ସେ କହିଥିଲେ ଯେ ପୁରସ୍କାରକୁ ନେଇ କେହି ଉତ୍ସାହୀ ଥିବାର କୌଣସି ପ୍ରମାଣ ନାହିଁ। ସେହିବର୍ଷ ସେ ଫତୱା ସଂପର୍କରେ ତାଙ୍କର ସ୍ମୃତିକୁ ନେଇ ଯୋଶେଫ ଆଣ୍ଟନ ନାମକ ପୁସ୍ତକ ଲେଖିଥିଲେ।

୧୯୮୯ରେ ଇରାନ ଫତୱାକୁ ନେଇ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ରୁଶଦିଙ୍କୁ କଡ଼ା ସୁରକ୍ଷାରେ ରଖାଯାଇଥିଲା। ଗତ ୨୦ ବର୍ଷ ହେଲା ସେ ଆମେରିକାରେ ରହି ଆସୁଛନ୍ତି। ହତ୍ୟା ଧମକ ସତ୍ତ୍ବେ ୯୦ ଦଶକରେ ସେ ଅନେକ ପୁସ୍ତକ ରଚନା କରିଥିଲେ। ୧୯୭୫ରେ ସେ ତାଙ୍କର ପ୍ରଥମ ପୁସ୍ତକ ରଚନା କରିଥିଲେ। ୧୯୮୧ରେ ‘ମିଡ୍‌ନାଇଟ୍ ଚିଲଡ୍ରେନ’ ନାମକ ନଭେଲ ପାଇଁ ତାଙ୍କୁ ସମ୍ମାନଜନକ ବୁକର ପୁରସ୍କାର ମିଳିଥିଲା। ତେବେ ୧୯୮୮ରେ ପ୍ରକାଶିତ ‘ସାଟାନିକ୍‌ ଭର୍ସେସ୍’ ବିବାଦୀୟ ହୋଇପଡ଼ିଥିଲା। ୨୦୦୭ରେ ବ୍ରିଟିଶ ରାଣୀ ଏଲିଜାବେଥ୍‌-୨ ତାଙ୍କୁ ‘ସାର୍’ ଟାଇଟଲରେ ସମ୍ମାନିତ କରିଥିଲେ।

ଇତିମଧ୍ୟରେ ନ୍ୟୁୟର୍କ ଗଭର୍ଣ୍ଣର ସୂଚନା ଦେଇଛନ୍ତି ‌େଯ ରୁଶଦି ଜୀବିତ ଅଛନ୍ତି। ବେକରେ ଗୁରୁତର ଆଘାତ ଲାଗିଛି। ସ୍ଥାନୀୟ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ସେ ଅଧିକ କିଛି ତଥ୍ୟ ଦେଇ ନାହାନ୍ତି। ତେଣେ ଆକ୍ରମଣକାରୀ ଯୁବକକୁ ପୁଲିସ ପଚରାଉଚରା କରୁଛି। ଖୁବଶୀଘ୍ର ତାର ପରିଚୟ ପ୍ରକାଶ କରାଯିବ ଏବଂ ସେ କାହିଁକି ଆକ୍ରମଣ କଲା ସେସଂପର୍କରେ ସୂଚନା ପ୍ରଦାନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।