
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଖ୍ୟାତ ଲେଖକ ସଲମାନ ରୁଶଦିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଧୀରେଧୀରେ ସୁଧାର ଆସୁଛି । ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ସଲମାନ ରୁଶଦିଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରୁ କଢାଯାଇଛି । ଏବେ ସେ କଥା କହିବାକୁ ସକ୍ଷମ ବୋଲି ମଧ୍ୟ କୁହାଯାଉଛି । ତେବେ ସେ ସମ୍ପୂର୍ଣ ସୁସ୍ଥ ହେବାରେ ସାମାନ୍ୟ ବିଳମ୍ବ ହେଇପାରେ ବୋଲି ମଧ୍ୟ ସୂଚନା ମିଳିଛି ।
ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଆମେରିକାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ସଲମାନ୍ ରୁଶଦିଙ୍କୁ ଜଣେ ୨୪ ବର୍ଷୀୟ ଯୁବକ ଆକ୍ରମଣ କରିଥିଲେ ।ତେବେ ଛୁରାମାଡରେ ସଲମାନ ରୁଶଦି ଗୁରୁତର ଆହତ ହୋଇଥିଲେ । ଗୋଟିଏ ପଟେ ଅଭିଯୁକ୍ତ ଜଣଙ୍କ ଇରାନର ବୋଲି କୁହାଯାଉଥିବାବେଳେ ଅନ୍ୟପଟେ ଇରାନର ଜଣେ ଅଧିକାରୀ ଏହାକୁ ଅସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ଏହି ଆକ୍ରମଣକୁ ବିଶ୍ୱର ବିଭିନ୍ନ ଆଗଧାଡିର ବ୍ୟକ୍ତିବିଶେଷ ବିରୋଧ କରୁଛନ୍ତି । ଅନ୍ୟପଟେ ସଲମାନ ରୁଶଦିଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିବାରୁ ହ୍ୟାରି ପୋର୍ଟର ଲେଖିକା ଜେକେ ରୋଲିଙ୍ଗଙ୍କୁ ମଧ୍ୟ ଜୀବନରୁ ମାରିବାକୁ ନେଇ ଧମକ ମିଳିଛି । ତେବେ ଜେକେ ରୋଲିଙ୍ଗ ସଲମାନ ରୁଶଦିଙ୍କ ଉପରେ ହେଇଥିବା ଆକ୍ରମଣକୁ ଟୁଇଟର ଜରିଆରେ ନିନ୍ଦା କରିଥିଲେ ।