ବୀର ପୁଅ ପାଇଁ କାନ୍ଦୁଛି ଜନ୍ମ ମାଟି, କାନ୍ଦୁଛି ସାରା ଓଡିଶା ଚରିଆଡେ ଶୋକାକୁଳ ପରିବେଷ । ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଦୁଇ ଓଡ଼ିଆ ବୀର ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍, ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ପ୍ରସନ୍ନ ପାଟଶାଣୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ପାର୍ଥିବ ମରଶରୀରକୁ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ଜନ୍ମମାଟିକୁ ନିଆଯାଉଛି। ତା’ପୂର୍ବରୁ ଭୁବନେଶ୍ୱର ବିମାନ ବିନ୍ଦରରେ ସିଆର୍ପିଏଫ୍ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ ବ୍ୟବସ୍ଥା କରାଯାଇଥିଲା।

ସହିଦ ପ୍ରସନ୍ନ କୁମାର ସାହୁଙ୍କ ମରଶରୀରକୁ ଜଗତସିଂହପୁର ନାଉଗାଁ ପରିଶିଖର ଗାଁକୁ ନିଆଯିବା ବେଳେ ସହିଦ ମନୋଜ କୁମାର ବେହେରାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି କଟକ ନିଆଳିର ରତନପୁର ଗାଁକୁ ନିଆଯାଉଛି। ଯେଉଁଠି ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ବିଦାୟ ଦିଆଯିବ।
ଅନ୍ୟପକ୍ଷରେ ସହିଦଙ୍କ ପରିବାର ପାଇଁ ରାଜ୍ୟ ସରକାର ଅନୁକମ୍ପା ରାଶି ବଢ଼ାଇଛନ୍ତି। ସହିଦ୍ ଦୁଇ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଯିବ। ଏହାଛଡ଼ା ସେମାନଙ୍କ ପିଲାମାନଙ୍କ ପଢ଼ିବା ଖର୍ଚ୍ଚ ସରକାର ବହନ କରିବେ। ଦୁଇ ସହିଦ୍ ଗାଁକୁ ମଡେଲ ପଞ୍ଚାୟତ ଭାବେ ଘୋଷଣା କରାଯିବ। ସେମାନେ ପଢ଼ୁଥିବା ସ୍କୁଲକୁ ସହିଦଙ୍କ ନାଁରେ ନାମିତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।





