ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସିବିଆଇ ଚଢାଉକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶନିବାର ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ ଏହି ପ୍ରସଙ୍ଗରେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସମସ୍ତଙ୍କୁ ସିବିଆଇ-ଇଡିର ଭୟ ଦେଖାଉଛି । ଇଡି-ସିବିଆଇ ଦମରେ ସେମାନେ କିଛି ସରକାର ଭାଙ୍ଗି ମଧ୍ୟ ସାରିଲେଣି ।ମୋତେ ମଧ୍ୟ ୨-୪ ଦିନ ମଧ୍ୟରେ ଗିରଫ କରାଯିବ, ହେଲେ ଆମେ ଏନେଇ ଭୟ କରିନୁ । ପଞ୍ଜାବ ନିର୍ବାଚନ ପରେ ସାରା ଦେଶରେ ଅରବିନ୍ଦ କେଜରିୱାଲଙ୍କ ଲୋକପ୍ରିୟତା ବଢିଛି। ଯାହାକୁ ଦେଖି ବିଜେପି ଭୟଭୀତ ହୋଇ ପଡ଼ିଛି ଆଉ ଆମକୁ ରୋକିବାକୁ ଏପରି କେନ୍ଦ୍ରୀୟ ଏଯେନ୍ସି ମାନଙ୍କୁ ବ୍ଯବହାର କରାଯାଉଛି। ଏସବୁ କାମ କେଜରିୱାଲଙ୍କୁ ଅଟକାଇବାକୁ କରାଯାଇଛି ବୋଲି ସିସୋଦିଆ କହିଛନ୍ତି । ହେଲେ ବିଜେପିର ଉଦ୍ଦେଶ୍ୟ ସଫଳ ହେବ ନାହିଁ ବୋଲି ସେ କହିଛନ୍ତି। ୨୦୨୪ର ଲୋକ ସଭା ନିର୍ବାଚନ ମୋଦି ବନାମ କେଜରିୱାଲ ଲଢେଇ ହେବ । ସେ ଆହୁରି କହିଛନ୍ତି ଅବକାରୀ ନୀତିରେ କୌଣସି ଘୋଟାଲା ହୋଇନାହିଁ ହେଲେ ଜେରା କରିବାକୁ ସିବିଆଇ କୁ ଉପରୁ ନିର୍ଦ୍ଦେଶ ରହିଛି । ସିସୋଦିଆ ଆହୁରି କହିଛନ୍ତି, ଭାଜପା ଆମକୁ ଭାଙ୍ଗି ପାରିବ ନାହିଁ । ଆମେ ଦେଶର ହିତ ପାଇଁ ଜେଲ ଯିବାକୁ ପ୍ରସ୍ତୁତ ଅଛୁ । କେଜରିୱାଲଙ୍କ ସହ ଲକ୍ଷ ଲକ୍ଷ ଲୋକ ଅଛନ୍ତି କୋଟି କୋଟି ଜନତାଙ୍କ ଆଶୀର୍ବାଦ ରହିଛି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିଲ୍ଲୀର ଅବକାରୀ ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଦୀର୍ଘ ୧୪ ଘଣ୍ଟା ଧରି ଚଢ଼ାଉ କରିଥିଲା। ତେବେ ଏହି ଚଢାଉ ପରେ ଆପ ଓ ବିଜେପି ମଧ୍ୟରେ ବୟାନ ବାଜି ଓ ଆରୋପ ପ୍ରତ୍ୟାରୋପ ଜାରି ରହିଛି।