ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବନ୍ୟା ପ୍ରଭାବିତ ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ସମେଟିଭ୍‌ ଆସେସମେଣ୍ଟ-୧ (ଏସ୍‌ଏ-୧) ପରୀକ୍ଷା ଲାଗି ଫର୍ମ ପୂରଣ ବାଧାପ୍ରାପ୍ତ ହୋଇଛି । ଲକ୍ଷାଧିକ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଞ୍ଜିକରଣ ଓ ଫର୍ମପୂରଣରୁ ବଞ୍ଚିତ ହୋଇଛନ୍ତି। ତେଣୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।ବୋର୍ଡ ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ୍‌ର ନବମ ଶ୍ରେଣୀ ଛାତ୍ରଛାତ୍ରୀ ଆସନ୍ତା ୩୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ସେମାନଙ୍କ ନାମ ପଞ୍ଜିକରଣ ଏବଂ ଏସ୍‌ଏ-୧ ପରୀକ୍ଷା ଲାଗି ଫର୍ମ ପୂରଣ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଏସ୍‌ଏ-୧ ପରୀକ୍ଷା ଲାଗି ଫର୍ମପୂରଣ ଗତ ୩ ତାରିଖରୁ ଆରମ୍ଭ ହୋଇଥିଲା । ସୋମବାର ଏହାର ଶେଷ ଦିନ ଥିଲା । ମାତ୍ର ରାଜ୍ୟର ଉପକୂଳ ଜିଲ୍ଲା ସମେତ ଅନ୍ୟ କେତେକ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଲୋକେ ପାଣି ଘେରରେ ରହିଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିଛି । ଏପରି ସ୍ଥିତିରେ ରାଜ୍ୟରେ ନବମ ଶ୍ରେଣୀ ପଞ୍ଜିକରଣ ଏବଂ ଫର୍ମ ପୂରଣ କରିବାରେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷରେ ଯେଉଁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ନାମ ପଞ୍ଜିକୃତ କରାଇବେ ନାହିଁ ସେମାନେ ନବମର ଦୁଇଟି ଯାକ ସମେଟିଭ୍‌ ଆସେସମେଣ୍ଟ ପରୀକ୍ଷା ସହ ଆସନ୍ତା ୨୦୨୪ରେ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ଦେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କଟକଣା କରାଯାଇଛି । ଏପରିସ୍ଥିତିରେ ପଞ୍ଜିକୃତ କରାଇପାରିନଥିବା ନବମ ଶ୍ରେଣୀ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପଞ୍ଜିକରଣ ଅବଧି ଏବଂ ଫର୍ମ ପୂରଣ ସମୟ ସୀମାକୁ ଆଜିଠାରୁ ଆଉ ୮ ଦିନ ପାଇଁ ବଢ଼ାଇ ଦିଆଯାଇଛି । ତେବେ ଏହି ପଞ୍ଜିକରଣ ଲାଗି ଛାତ୍ରଛାତ୍ରୀଙ୍କୁ ୬୦ ଟଙ୍କା ଦେୟ ଦେବାକୁ ପଡ଼ିବ। ଉକ୍ତ ପ୍ରକ୍ରିୟାରେ ଏସ୍‌ସିଏସ୍‌ଟି ଛାତ୍ରଛାତ୍ରୀମାନଙ୍କୁ କୌଣସି ଦେୟ ଦେବାକୁ ପଡୁ ନାହିଁ ବୋଲି ସୂଚନା ମିଳିଛି । ସେହିପରି ଏସ୍‌ଏ-୧ ପରୀକ୍ଷା ଲାଗି ଫର୍ମ ପୂରଣ ଦେୟ ବୋର୍ଡ ପକ୍ଷରୁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।