ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଇନ୍ଦୁ ମଲହୋତ୍ରା ଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଦାବି କରିଛନ୍ତି ଯେ କମ୍ୟୁନିଷ୍ଟ ସରକାର ମାନେ ହିନ୍ଦୁ ମନ୍ଦିରକୁ କବଜା କରି ନେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ସେମାନେ କେବଳ ଟଙ୍କା ପାଇଁ ହିନ୍ଦୁ ମନ୍ଦିର ଗୁଡ଼ିକୁ କବଜା କରୁଛନ୍ତି, ତାଙ୍କର ମୁଖ୍ୟ ଆବଶ୍ୟକତା ହେଉଛି ଟଙ୍କା। ଆଉ ଏଥିପାଇଁ ସେମାନେ କେବଳ ହିନ୍ଦୁ ମନ୍ଦିର ଗୁଡ଼ିକୁ କବଜା କରୁଛନ୍ତି।”
ଭିଡିଓରେ ମଲହୋତ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ସେ ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ସହିତ ମିଶି ସରକାରଙ୍କ ଦ୍ୱାରା ମନ୍ଦିରଗୁଡିକୁ ଏପରି କବଜା କରିବା ବନ୍ଦ କରିଦେଇଛନ୍ତି। ସେ ଏହି ଭିଡିଓରେ ୨୦୨୦ ମସିହାରେ ସୁପ୍ରିମକୋର୍ଟର ଏକ ରାୟ ବିଷୟରେ ମଧ୍ୟ କହିଛନ୍ତି ଯେଉଁଥିରେ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ପ୍ରସଙ୍ଗରେ ସେ ଟ୍ରାଭାନକୋର ରାଜ ପରିବାରର ଅଧିକାରକୁ ସମର୍ଥନ କରିଥିଲେ।
ତେବେ ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ବେଞ୍ଚ ୨୦୧୧ ମସିହାରେ କେରଳ ହାଇକୋର୍ଟ ଦେଇଥିବା ଏକ ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ। ଏହି ଆଦେଶ ଅନୁସାରେ ୧୯୯୧ ମସିହାରେ ଟ୍ରାଭାନକୋରର ଶେଷ ଶାସକଙ୍କ ମୃତ୍ୟୁ ସହିତ ମନ୍ଦିର ଉପରେ ରାଜ ପରିବାରର ଅଧିକାର ଶେଷ ହୋଇଥିଲା।
ତେବେ ତାଙ୍କର ଏହି ଭିଡ଼ିଓ ଟି କେରଳର ଶ୍ରୀ ପଦ୍ମନାଭସ୍ଵାମୀ ମନ୍ଦିର ସାମ୍ନାରେ ବୋଲି କୁହା ଯାଉଛି। ଏହା ସହିତ ଏହି ଭିଡ଼ିଓରେ କେରଳର କମ୍ୟୁନିଷ୍ଟ ସରକାରକୁ ଟାର୍ଗେଟ କରୁଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ଅନୁସାରେ ଶ୍ରୀମତୀ ମଲହୋତ୍ରା କେରଳର ଥିରୁଅନନ୍ତପୁରମ ମେଡିକାଲ କଲେଜ ହସ୍ପିଟାଲ ଦ୍ଵାରା ଏହାର ୭୫ ବର୍ଷ ପାଳନ କରିବାକୁ ଆୟୋଜିତ ୩ ଦିନିଆ ଚିକିତ୍ସା ସମ୍ମିଳନୀରେ ଯୋଗଦେବାକୁ ସେଠାରେ ପହଞ୍ଚିଥିଲେ।
