ସୁଦୃଢ ହେବ ଭାରତ-ନେପାଳ ଦ୍ବିପାକ୍ଷିକ ବାଣିଜ୍ୟିକ କାରବାର, ଏଣିକି ଭାରତ ବଜାରରେ ମିଳିବ ନେପାଳ ସାମଗ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଏବଂ ନେପାଳ ମଧ୍ୟରେ ଆହୁରି ସୁଦୃଢ ହେବ ଦ୍ବିପାକ୍ଷିକ ବାଣିଜ୍ୟିକ କାରବାର। ଏଣିକି ଭାରତର ବଜାର ରେ ମିଳିବ ନେପାଳର ସାମଗ୍ରୀ। ଅନେକ ପ୍ରତିବନ୍ଧକ ସତ୍ତ୍ବେ ଭାରତ ଏବଂ ପଡୋଶୀ ନେପାଳ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଏବେ ଭଲ ରହିଛି । ଏବେ ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ଏବଂ ଗମନାଗମନ ସୁବିଧା ବଢାଇବାକୁ ଉଭୟ ଦେଶ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ।ଏହା ଦ୍ବାରା ରାଜଧାନୀ କାଠମାଣ୍ଡୁକୁ ଭାରତର କିଛି ଗୁରୁତ୍ବପୂର୍ଣ୍ଣ ବନ୍ଦରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏହା ସହିତ ଭାରତର କୃଷିଜାତ ଦ୍ରବ୍ୟ ଅଧିକରୁ ଅଧିକ ନେବାକୁ ଯୋଜନା କରାଯିବ ।

ଭାରତର ‘ପଡୋଶୀ ପ୍ରଥମ’ ନୀତି ଅନୁଯାୟୀ ଦୁଇଟି ବନ୍ଦରରୁ ଦ୍ରବ୍ୟ ଆମଦାନୀ ଏବଂ ରପ୍ତାନୀ କରିବା ପାଇଁ ନେପାଳକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର । ଭାରତର ଗୁଜରାଟରେ ଥିବା ମୁନ୍ଦ୍ରା ପୋର୍ଟ ଏବଂ ଓଡିଶାର ଧାମରା ବନ୍ଦରରୁ ସିଧାସଳଖ ନେପାଳକୁ ଦ୍ରବ୍ୟ ରପ୍ତାନୀ ଏବଂ ଆମଦାନୀ କରିବାକୁ ସରକାର ପ୍ରସ୍ତୁତି ପ୍ରାୟ ଶେଷ କରିଛନ୍ତି । ଗମନାଗମନ ଚୁକ୍ତି ଏବଂ କିଛି ବୁଝାମଣା ବାବଦକୁ ଏବେ ଆଲୋଚନା ଜାରି ରହିଛି । ଏହା ପରେ କାରବାର ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ନେପାଳକୁ କେବଳ ଭାରତର ବଜାରକୁ ପ୍ରବେଶ କରିବାକୁ ଦିଆଯିବ ତାହା ନୁହେଁ ବରଂ ଦକ୍ଷିଣପୂର୍ବ ଏବଂ ମଧ୍ୟ ଏସୀୟ ଅଞ୍ଚଳ ଗୁଡିକର ବଜାରକୁ ପ୍ରବେଶ ପାଇଁ ଭାରତ ଏକ ମୁଖ୍ୟ ରାସ୍ତା ଭାବେ ରହିବ । ଯାହା ଦ୍ବାରା କି ନେପାଳ ବ୍ୟବସାୟିକ କାରବାର ସହଜ ସାପେକ୍ଷ ହୋଇପାରିବ । ପୂର୍ବରୁ ନେପାଳ ଏ ନେଇ କହିଆସୁଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦଶନ୍ଧି ଦଶନ୍ଧି ପୂର୍ବରୁ ଭାରତ ହିଁ ଗମନାଗମନ ଏବଂ ବାଣିଜ୍ୟ କାରବାରରେ ଉନ୍ନତି ଆଣିବାକୁ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲା । କିନ୍ତୁ ନେପାଳ ପକ୍ଷରୁ ଅନେକ ଥର ଏ ନେଇ କୁହାଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନଥିଲା । ୧୯୬୦ ସେପ୍ଟେମ୍ବରରେ ଏ ନେଇ ଉଭୟ ପଡୋଶୀ ଦେଶ ସ୍ବାକ୍ଷରିତ କରିଥିଲେ । ପରେ ୧୯୭୮ ମସିହାରେ ସେହି ଚୁକ୍ତି ଦୁଇ ଭାଗ (ବାଣିଜ୍ୟ ଏବଂ ଗମନାଗମନ)ରେ ବିଭକ୍ତ ହୋଇଥିଲା ।

Related Posts