କୋଲକାତା: କୋଇଲା ଚୋରା ଚାଲାଣ ମାମଲାର ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଛନ୍ତି ଟିଏମସି ସାଂସଦ ଅଭିଷେକ ବାନାର୍ଜୀ । ଇଡି ଦ୍ଵାରା ପଚରାଉଚରା ପରେ ସେ ବାହାରକୁ ଆସି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତୀୟ ଜନତା ପାର୍ଟିକୁ ନିନ୍ଦା କରିବା ସହ ଖୁବ୍ ବର୍ଷିଛନ୍ତି । ସେ ଅଭିଯୋଗ କରିଥିଲେ ଯେ, କୋଇଲା ଚୋରା ଚାଲାଣ କିମ୍ବା ଗୋଖାଦ୍ୟ ଦୁର୍ନୀତି ନୁହେଁ, ଏହା ଗୃହମନ୍ତ୍ରୀଙ୍କ ସ୍କାମ।

୭ଘଣ୍ଟା ଧରି ଇଡି ପଚରାଉଚରା କରିବା ପରେ ଅଭିଷେକ ବାନାର୍ଜୀ ଗଣମାଧ୍ୟମ ସହ କଥା ହୋଇ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ବିଜେପି ଜନାଦେଶ ବିରୋଧରେ କାର୍ଯ୍ୟ କରୁଛି। ସେମାନେ ଝାଡଖଣ୍ଡରେ ହାରିବା ପରେ ସେଠାରେ ଥିବା ସରକାରକୁ ହଟାଇବାକୁ ଚେଷ୍ଟା କଲେ। ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇବି ଯେ, ସେ ବିଜେପିର ଉଦ୍ୟମକୁ ବିଫଳ କରିଥିଲେ। ବିଜେପି ଯେଉଁ ରାଜ୍ୟରେ ହାରୁଛି, ପରେ ସେ ରାଜ୍ୟର ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ନହେଲେ ବିରୋଧୀ ଦଳର ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସିକୁ ଲଗାଇ ଦେଉଛି। ଇଡି କାହିଁକି ବିଜେପି ଶାସିତ ରାଜ୍ୟରେ କୌଣସି ନେତାଙ୍କୁ ପଚରାଉଚରା କରୁନାହିଁ?

ସେ ଆହୁରି କହିଥିଲେ ଯେ, ମୁଁ ବିଜେପି ବିରୋଧରେ ଏଭଳି କହିବା ଜାରି ରଖିବି । ଚୋରକୁ ଚୋର ନକହି ଆଉ କ’ଣ କହିବି? ଗୋଖାଦ୍ୟ ଦୁର୍ନୀତି ଟଙ୍କା କୁଆଡେ ଗଲା? ଏହା ସିଧାସଳଖ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟକୁ ଯାଇଛି। ଗୃହମନ୍ତ୍ରୀ କ’ଣ କରୁଛନ୍ତି? ବିଏସଏଫ କ’ଣ କରୁଛି? ଏହା ଗୋଖାଦ୍ୟ ଦୁର୍ନୀତି ନୁହେଁ, ଏହା ଗୃହମନ୍ତ୍ରୀଙ୍କ ସ୍କାମ।