ହରିୟାଣାର ଫତେହାବାଦ ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଘଟଣା: ଚଳନ୍ତା ଟ୍ରେନରେ ଦୁଷ୍କର୍ମ ଉଦ୍ୟମ ରୋକିବାରୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ହରିୟାଣାର ଫତେହାବାଦ ଅଞ୍ଚଳରୁ ଆସିଛି ଏକ ଭୟଂକର ଦୃଶ୍ୟ । ଟ୍ରେନରେ ଯାତ୍ରା କରୁଥିବା ବେଳେ ଜଣେ ମହିଳାଙ୍କ ସହ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ତେବେ, ଏହାକୁ ନେଇ ପ୍ରତିବାଦ କରିବାରୁ ମହିଳାଙ୍କ ଜୀବନ ଚାଲିଯାଇଛି । ଦୁର୍ବୃତ୍ତଜଣକ ଚଳନ୍ତା ଟ୍ରେନରୁ ତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି ।

ରିପୋର୍ଟରୁ ପ୍ରକାଶ ଯେ, ଜଣେ ମଦ୍ୟପ ବ୍ୟକ୍ତି ଟ୍ରେନରେ ୩୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିଲା । ମହିଳା ଜଣକ ଏହାର ପ୍ରବଳ ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ତାଙ୍କୁ ଚଳନ୍ତା ଟ୍ରେନ୍ରୁ ତଳକୁ ଠେଲି ଦେଇଥିଲା । ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମୟରେ ମହିଳାଙ୍କ ୯ ବର୍ଷର ପୁଅ ମଧ୍ୟ ଉପସ୍ଥିତ ଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ହରିୟାଣାର ଫତେହାବାଦ ଜିଲ୍ଲାର ତୋହାନା ସହର ନିକଟରେ ଘଟିଛି । ଟ୍ରେନ କମ୍ପାର୍ଟମେଣ୍ଟରେ କେବଳ ତିନିଜଣ ଯାତ୍ରୀ ଉପସ୍ଥିତ ଥିଲେ ବୋଲି ଫତେହାବାଦ ପୁଲିସ ସୂଚନା ଦେଇଛି । ମୃତ ମହିଳାଜଣକ ମନଦୀପ କୌର ବୋଲି ଜଣାପଡ଼ିଛି । କୁହାଯାଉଛି ଯେ, ଅଭିଯୁକ୍ତଜଣକ ମଞ୍ଚଲା ନରୱାନାରୁ ଟ୍ରେନରେ ଚଢ଼ିଥିଲେ ଏବଂ ମଦ୍ୟପାନ କରିଥିବା ମଧ୍ୟ ସୂଚନା ରହିଛି।

ପୁଲିସର ସୂଚନାନୁସାରେ, ମହିଳାଜଣକ ଏକାକୀ ଯାତ୍ରା କରୁଥିବା ଦେଖି ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ମହିଳାଜଣକ ବିରୋଧ କରିଥିଲେ, ତାପରେ ସେ ମହିଳାଙ୍କୁ ପିଟିବା ଆରମ୍ଭ କରିଥିଲା । ପ୍ରତ୍ୟକ୍ଷଦର୍ଶୀ ଶିଶୁ କହିଛି ଯେ, ଅଭିଯୁକ୍ତ ତା’ ମାଙ୍କୁ ଟ୍ରେନରୁ ଠେଲି ଦେଇ ନିଜେ ଟ୍ରେନରୁ ଡେଇଁପଡିଥିଲା । ଏହି ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମନଦୀପ କୌରଙ୍କ ସ୍ୱାମୀ ହରଜିନ୍ଦର କହିଛନ୍ତି ଯେ, ତାଙ୍କ ପତ୍ନୀ ଗତ କିଛି ଦିନ ହେବ ମା’ଙ୍କ ଘରେ ରହୁଥିଲେ । ସେପ୍ଟେମ୍ବରର ପହିଲାରେ ସେ ଟ୍ରେନ୍ ଯୋଗେ ତାଙ୍କ ପାଖକୁ ଫେରୁଥିଲେ । ଟୋହାନାଠାରୁ ପ୍ରାୟ ୧୫ରୁ ୨୦ କିଲୋମିଟର ଦୂରରେ ପହଞ୍ଚିବା ପରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ, ସେ ଷ୍ଟେସନରେ ପହଞ୍ଚିବାକୁ ଯାଉଛନ୍ତି ଏବଂ ନେବାକୁ ଆସିବା ଲାଗି କହିଥିଲେ । ହରଜନ୍ଦର ଷ୍ଟେସନରେ ତାଙ୍କ ପତ୍ନୀ ଏବଂ ପୁଅକୁ ସେ ଅପେକ୍ଷା କରିଥିଲେ। ଟ୍ରେନ୍ ଅଟକି ଗଲା କିନ୍ତୁ ପିଲାଟି କାନ୍ଦୁଥିବା ଦେଖି ହରଜନ୍ଦର ପଚାରିଥିଲେ ମାଆ କେଉଁଠାରେ ? ଏହାର ଉତ୍ତରରେ ପିଲାଟି କହିଥିଲା ଯେ, ଟ୍ରେନରେ ଥିବା ଜଣେ ବ୍ୟକ୍ତି ମାଆଙ୍କ ସହ ଅସଦାଚରଣ କରିଥିଲା ଏବଂ ରାଗିଯାଇ ସେ ମା’ଙ୍କୁ ଟ୍ରେନରୁ ତଳକୁ ଠେଲି ଦେଇଥିଲା

Related Posts