ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଗସ୍ତରେ ଆସିଛନ୍ତି ପଡୋଶୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା। ଶେଖ ହସିନାଙ୍କ ଏହି ଗସ୍ତ ଅବସରରେ ତାଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।ଦୁହିଁଙ୍କ ମଧ୍ୟରେ ସାକ୍ଷାତକାର ଓ ଏକାଧିକ ପ୍ରସଙ୍ଗରେ ଆଲୋଚନା ନେଇ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି । ପଡୋଶୀ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଓ ରାହୁଲଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଦଳ କହିଛି । ନୂଆଦିଲ୍ଲୀର ଚାଣକ୍ୟପୁରୀରେ ଥିବା ହୋଟେଲ ଆଇଟିସି ମୌର୍ଯ୍ୟ ରେ ଏହି ସାକ୍ଷାତକାର ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ସେ ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଏକାଧିକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସହ ଦୁଇ ଦେଶ ମଧ୍ୟରେ ୭ଟି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ସେହିପରି ହସିନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ସହ ମଧ୍ୟ ସାକ୍ଷାତ କରିବା ସହ ଆଲୋଚନା କରିଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ହସିନାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
