ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଆଥ୍ଲେଟିକ ଆସୋସିଏସନ (ଓଏଏ) ର ସମ୍ପାଦକ ଭାବେ ପୁଣି ଥରେ ଆଶୀର୍ବାଦ ବେହେରା ନିର୍ବାଚିତ ହୋଇଛନ୍ତି । ଓଏଏର ନିର୍ବାଚନରେ ସମ୍ପାଦକ ପଦବୀ ପାଇଁ ଆଶୀର୍ବାଦଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ପ୍ରାର୍ଥୀପତ୍ର ଯାଞ୍ଚ୍ ଶେଷ ହୋଇଥିବା ବେଳେ ଆଶୀର୍ବାଦଙ୍କ ପ୍ରାର୍ଥୀପତ୍ର କାୟମ୍ ରହିଛି ଓ ସେ ଅପ୍ରତିଦ୍ୱନ୍ଦୀ ରହିଛନ୍ତି ।ଫଳରେ ଆଶୀର୍ବାଦଙ୍କ ବିଜୟ ନିଶ୍ଚିତ, କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ରାଜ୍ୟର ଏହି ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଜଣକ ୧୯୮୮ ମସିହାରୁ ଓଏଏର ସମ୍ପାଦକ ପଦବୀରେ ରହି ଆସୁଛନ୍ତି । ଏବେ ଆସନ୍ତା ୪ବର୍ଷ ପାଇଁ ପୁଣି ଏହି ଆସନକୁ ସେ ଅକ୍ତିଆର କରିବା ସ୍ପଷ୍ଟ ହୋଇଛି । ଦୀର୍ଘ ୪ ଦଶନ୍ଧି ଧରି ସମ୍ପାଦକ ପଦବୀରେ ଆଶୀର୍ବାଦ ଅପରାଜେୟ ରହି ଆସୁଛନ୍ତି।
ତେବେ ଆସନ୍ତା ୧୧ ତାରିଖରେ ଓଏଏ ନିର୍ବାଚନ ହେବ। କେବଳ ଉପସଭାପତି ପଦବୀକୁ ଛାଡ଼ି ଅନ୍ୟ ସମସ୍ତ ପଦବୀ ନିଦ୍ୱର୍ନ୍ଦ୍ୱରେ ପୂରଣ ହୋଇଛି । ସଭାପତି ଭାବେ ଦ୍ୱିତୀୟ ଥର ଦାୟିତ୍ୱକୁ ଆସିଛନ୍ତି ଜି.ଶ୍ରୀନିବାସ ପଟ୍ଟନାୟକ । ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର ସାହୁ, ରବି ନାୟକ, ସହକାରୀ ସମ୍ପାଦକ ଭାବେ ବିଭୂତି ଭୂଷଣ ପଣ୍ଡା, କୋଷାଧ୍ୟକ୍ଷ ଭାବେ ରବି ଶଙ୍କର ପ୍ରତିହାରୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।





