ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦରଦାମ ବୃଦ୍ଧି ଖାଲି ଭାରତର ସମସ୍ୟା ନୁହେଁ, ଏହା ଏବେ ସମଗ୍ର ବିଶ୍ଵର ସମସ୍ୟା। ତେଣୁ ବଜାର ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ଠିକ୍ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ତେବେ ଦୁଇ ଦିନିଆ କଟକ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ଆଜି ସାମ୍ବାଦିକ ଏକ ସମ୍ମିଳନୀରେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେବା ସହ ଓଡ଼ିଶାକୁ ଆସିଥିବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ।ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟିତ ଥିବା ବେଳେ ରାଜ୍ୟ ସରକାର ଏଦିଗରେ ନିଷ୍କ୍ରିୟ ରହିଛନ୍ତି ବୋଲି ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି ।

ତେବେ ଏଲପିଜି ସିଲିଣ୍ଡର ମହଙ୍ଗା ହେବା ଏବଂ ଉଜ୍ଜଳା ହିତାଧିକାରୀ ମାନେ ସେଥିରୁ ମୁହଁ ଫେରାଇବା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍ ଟିକା ଠାରୁ ଆରମ୍ଭ କରି ମାଳ କେନ୍ଦ୍ରୀୟ ଯୋଜନା ଦେଶବାସୀଙ୍କ ହିତ କୁ ଦୃଷ୍ଟିରେ ରଖି କରାଯାଇଛି । ସେ ବାବଦରେ କେନ୍ଦ୍ର ସରକାରଙ୍କ ବିପୁଳ ଅର୍ଥରାଶି ଖର୍ଚ୍ଚ ହେଉଛି । ଯାହା ପ୍ରତି ଦେଶବାସୀ ମଧ୍ୟ ଧ୍ୟାନ ଦେବା କଥା। ବଜାର ଦର ବୃଦ୍ଧି ଏବେ ସମଗ୍ର ବିଶ୍ୱର ସମସ୍ୟା, ତେଣୁ ଏଲପିଜି ଦର ବୃଦ୍ଧି ହେବା ବିଷୟକୁ ନେଇ ବିରୋଧୀ ମାନେ ଦେଶକୁ ଭ୍ରମିତ କରୁଛନ୍ତି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ପାଲଟା ଅଭିଯୋଗ ଆଣିଛନ୍ତି।