
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ ତଥା ଦଳର ଅଧିନାୟକ ଆରୋନ ଫିଞ୍ଚ ଦିନିକିଆ କ୍ରିକେଟ୍ରୁ ନିଜର ଅବସର ଘୋଷଣା କରିଛନ୍ତି। ଶନିବାର ସକାଳେ ସେ ଖବରଦାତାଙ୍କୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ଆସନ୍ତା ୧୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ତାଙ୍କର ଶେଷ ମ୍ୟାଚ ହେବ। ତେବେ ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଆଗକୁ ଟି-୨୦ ଓ ଫ୍ରାଞ୍ଚାଇଜ ପାଇଁ କ୍ରିକେଟ ଖେଳ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।
ଫିଞ୍ଚ ଏବେ ଅଷ୍ଟ୍ରେଲିଆର ଉଭୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ରହିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ୨୦୨୧ରେ ଟି୨୦ ବିଶ୍ୱକପ୍ ଜିତିଥିଲା। ସେତେବେଳେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ହରାଇ ଏହି ଟୁର୍ନାମେଣ୍ଟ ଜିତିଥିଲେ। ଫିଞ୍ଚ ତାଙ୍କ କ୍ୟାରିୟରରେ ଏଯାବତ ୫ ଟେଷ୍ଟ ମ୍ୟାଚ୍, ୧୪୫ ଦିନିକିଆ ଏବଂ ୯୨ ଟି୨୦ ମ୍ୟାଚ୍ ଖେଳିଛନ୍ତି।
ସୂଚନାଯୋଗ୍ୟ ଯେ, ଫିଞ୍ଚ ଗତ କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ସେ ଚଳିତ ବର୍ଷ ଖେଳିଥିବା ୧୩ଟି ଦିନିକିଆ ମ୍ୟାଚ୍ରେ ୫ ଥର ଶୂନରେ ଆଉଟ୍ ହୋଇଛନ୍ତି। ଏହାକୁ ନେଇ ସେ ସନ୍ୟାସ ନେବା ଘୋଷଣା କରିଥିବା କୁହାଯାଉଛି।