ଗାନ୍ଧୀନଗର: ଭାରତୀୟ ସୀମାରେ ଅନୁପ୍ରବେଶ କରି ନିଶା କାରବାର କରିବାକୁ ପଛାଉ ନାହାନ୍ତି ପାକିସ୍ତାନୀ ନିଶା ବେପାରୀ । ବାରମ୍ବାର ଜବତ କରାଯିବା ପରେ ମଧ୍ୟ ପାକିସ୍ତାନୀ ନିଶା ବେପାରୀଙ୍କ ନିଶା ଛାଡୁନି । ସେପଟେ ନିଶା ବେପାରୀଙ୍କୁ ଧରିବା ପାଇଁ କଡା ସୁରକ୍ଷା ଓ ପ୍ରଭାବୀ ସମୁଦ୍ର ସୀମା ପାଟ୍ରୋଲିଂ କରୁଛି ସୁରକ୍ଷାବାହିନୀ । ପୁଣି ଥରେ ଗୁଜୁରାଟର କଚ୍ଛ ଉପକୂଳ ନିକଟବର୍ତ୍ତୀ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଏକ ପାକିସ୍ତାନୀ ବୋଟକୁ ଜବତ କରିବା ସହ 6 ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗିରଫ ପାକିସ୍ତାନୀମାନେ ମତ୍ସ୍ୟଜୀବୀ ନୁହଁନ୍ତି ବରଂ ପେଶାଦାର ନିଶା ବେପାରୀ ।
ଉକ୍ତ ବୋଟରୁ ପ୍ରାୟ 40 କେଜିର ହିରୋଇନ ମଧ୍ୟ ଜବତ କରାଯାଇଛି । ପ୍ରାଥମିକ ତଦନ୍ତ ଅନୁସାରେ ଏହି ପରିମାଣର ହେରୋଇନର ଆନୁମାନିକ ମୂଲ୍ୟ ପ୍ରାୟ 200 କୋଟିରୁ ଉର୍ଦ୍ଧ୍ବ ହେବ । ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ 6 ପାକିସ୍ତାନୀ ନାଗରିକଙ୍କୁ ସ୍ଥାନୀୟ ପୋଲିସରେ ଜିମା ଦେଇଛି କୋଷ୍ଟଗାର୍ଡ । ଏହି ବିପୁଳ ପରିମାଣର ଡ୍ରଗ୍ସ ପାକିସ୍ତନର କରାଚୀରୁ ଭାରତକୁ ରପ୍ତାନୀ ହେଉଥିବା ସନ୍ଦେହ କରାଯାଉଛି । ଅଧିକ ଜେରା ଜାରି ରହିଛି ।କୋଷ୍ଟଗାର୍ଡର ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କଚ୍ଛ ଉପକୂଳରେ କୋଷ୍ଟଗାର୍ଡର ଅତ୍ୟାଧୁନିକ C-408 ପାଟ୍ରୋଲିଂ ଜାହାଜ ମୁତୟନ ରହିଛି । ଏକ ପାକିସ୍ତାନୀ ବୋଟ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତୀୟ ଜଳ ସୀମାରେ ଅନୁପ୍ରବେଶ କରିଥିବା ସୂଚନା ମିଳିବା ପରେ ଉକ୍ତ ବୋଟରେ ଥିବା ପାଟ୍ରୋଲିଂ ଟିମ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲା ।
ଅନୁପ୍ରେବଶ କରିଥିବା ପାକିସ୍ତାନୀ ବୋଟକୁ ଜବତ କରାଯିବା ସହ ସମସ୍ତ ପାକିସ୍ତାନୀଙ୍କୁ ଗିରଫ କରାଯାଇଥିଲା । ପରେ ବୋଟର ତଲାସି ବେଳେ ଏହି ବିପୁଳ ପରିମାଣର ହେରୋଇନ ଥିବା ଜାଣିବାକୁ ପାଇଥିଲା ପାଟ୍ରୋଲିଂ ଟିମ ।
