ବେଙ୍ଗାଲୁରୁ: ଅଡୁଆରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦିୟୁରପ୍ପା । ଲାଞ୍ଚ କାରବାର ମାମଲାରେ ଛନ୍ଦି ହେବା ପରେ ଏବେ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ FIR ରୁଜୁ କରାଯାଇ ତଦନ୍ତ କରିବାକୁ ନେଇ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ନୀତି ମାମଲାରେ ପୁନଃବିଚାର କରିବାକୁ କର୍ଣ୍ଣାଟକ ହାଇକୋର୍ଟ ସ୍ବତନ୍ତ୍ର କୋର୍ଟଙ୍କୁ ନିର୍ଦ୍ଦେଶ ଦେବାର ଗୋଟିଏ ସପ୍ତାହ ପରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ମିଳିଛି ।

ବେଙ୍ଗାଲୁରୁ ବିକାଶ ପ୍ରାଧିକରଣର ହାଉସିଂ ପ୍ରୋଜେକ୍ଟ କାମ ପାଇଁ କଣ୍ଟ୍ରାକ୍ଟ ଦେବାକୁ ରାମଲିଙ୍ଗମ କନଷ୍ଟ୍ରକସନ କମ୍ପାନୀ ଠାରୁ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଟିଜେ ଆବ୍ରାହମ୍ ନାମକ ଜଣେ ସାମାଜିକ କର୍ମୀ ବରିଷ୍ଠ ବିଜେପି ନେତା ୟେଦିୟୁରପ୍ପାଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ କରିଥିଲେ । ଗତବର୍ଷ ଜୁନ୍‌ରେ ସ୍ବତନ୍ତ୍ର କୋର୍ଟ ଏହାର ଶୁଣାଣି କରି ତଦନ୍ତ ନିର୍ଦ୍ଦେଶ ଦେବା ସହିତ ନଭେମ୍ବର ୨ ସୁଦ୍ଧା ଏହାର ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ କହିଥିଲେ ।

ବିଡିଏ କଣ୍ଟ୍ରାକ୍ଟ ଦୁର୍ନୀତି ମାମଲାରେ ସାମାଜିକ କର୍ମୀ ୟେଦିୟୁରପ୍ପା, ତାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର, ଝିଅ ପଦ୍ମାବତୀଙ୍କ ସମ୍ପର୍କୀୟ ଶଶିଧର ମାରଡିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ହେଲେ ଜୁଲାଇ ୮ ତାରିଖରେ ନିମ୍ନ ଅଦାଲତ ଏହି ମାମଲା ଖାରଜ କରିଦେଇଥିଲେ । ଏହାକୁ ଆବ୍ରାହମ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ । ଯାହାପରେ ହାଇକୋର୍ଟ ମାମଲାର ଶୁଣାଣି କରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ଏହି ଅଭିଯୋଗର ପୁନଃବିଚାର କରିବାକୁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ ।