କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ୮ ବିଧାୟକଙ୍କୁ ଏବେ କୌଣସି ମନ୍ତ୍ରୀପଦ ମିଳିବ ନାହିଁ: ଗୋଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋଆରେ ୮ ଜଣ କଂଗ୍ରେସ ବିଧାୟକ ଗତକାଲି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ହେଲେ ଏବେ ସେମାନଙ୍କୁ କୌଣସି ମନ୍ତ୍ରୀପଦ ମିଳିବ ନାହିଁ ବୋଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ କହିଛନ୍ତି। ପ୍ରମୋଦ କହିଛନ୍ତି ଯେ, ଆମେ କଂଗ୍ରେସ ବିଧାୟକମାନଙ୍କୁ ବିଜେପିରେ ମିଶିବା ପାଇଁ କହି ନଥିଲୁ। ସେମାନେ ନିଜ ଦଳରେ ଅସନ୍ତୁଷ୍ଟ ଥିଲେ। ତେଣୁ ବିଜେପିରେ ମିଶିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମରେ ଅନୁପ୍ରାଣିତ ହୋଇ ସେମାନେ ବିଜେପି ପ୍ରତି ଆକୃଷ୍ଟ ହୋଇଛନ୍ତି। ତେବେ ବର୍ତ୍ତମାନ କ୍ୟାବିନେଟ ସମ୍ପ୍ରସାରଣ ନେଇ କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି।

ତେବେ ବିଜେପିରେ ମିଶିଥିବା ୬ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୨ ଜଣଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଆଲୋଚନା ହେଉଥିଲା । ପୁର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଏବଂ ମାଇକେଲ ଲୋବୋଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ନେଇ ଚର୍ଚ୍ଚା ହେଉଥିଲା। ଅନ୍ୟପଟେ ଗତକାଲି କାମତ କହଥିଲେ ଯେ, ଦଳରେ ମିଶିବା ନେଇ କୌଣସି ସର୍ତ୍ତ ରଖାଯାଇ ନାହିଁ। ଯଦି ଦଳ କୌଣସି ପଦ ନଦିଏ ତେବେ ସେ ସାଧାରଣ ଭାବେ ସଙ୍ଗଠନକୁ ମଜଭୁତ ପାଇଁ କାମ କରିବେ। ସୂଚନା​ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ କଂଗ୍ରେସର ୮ ବିଧାୟକ ହାତଛାଡ଼ି ପଦ୍ମ ଧରିଛନ୍ତି। ଗୋଆର ୪୦ ବିଧାନସଭା ଆସନରୁ ବିଜେପି ପାଖରେ ମୋଟ୍‌ ୨୦ଟି ଆସନ ରହିଥିବା ବେଳେ କଂଗ୍ରେସ ହାତରେ ୧୧ଟି ଆସନ ରହିଥିଲା। ସେହିପରି ୯ଟି ଆସନ ଅନ୍ୟାନ୍ୟ ଦଳଙ୍କ ପାଖରେ ରହିଛି। ଏପରି ପରିସ୍ଥିତିରେ କଂଗ୍ରେସର ବିଧାୟକ ମାନେ ବିଜେପିରେ ସାମିଲ ହେବା ପରେ କଂଗ୍ରେସ ହାତରେ କେବଳ ୩ଟି ଆସନ ରହିଛି। ଅନ୍ୟପକ୍ଷରେ ବିଜେପିର ବିଧାନସଭା ଆସନ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋ, ଡି ଲୋବୋ, ରାଜେଶ ଫାଲଦେସାଇ, କେଦାର ନାୟକ, ସଙ୍କଳ୍ପ ଆମୋନକର, ଆଲେକ୍ସୋ ସେକିରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ।

Related Posts