ଭୁବନେଶ୍ବର : ସମଗ୍ର ବିଶ୍ଵରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା। ଯାହା ବୃଦ୍ଧି ପାଇ ୨୦୪୦ ସୁଦ୍ଧା ଭାରତରେ ଟାଇପ-୧ ମଧୁମେହ ରୋଗୀଙ୍କ ସଂଖ୍ୟା ୧୧୬ ପ୍ରତିଶତ ବୃଦ୍ଧି ପାଇବ। ବିଶ୍ବରେ ଏହା ୧୦୬.୯ ପ୍ରତିଶତ ବୃଦ୍ଧି ପାଇଥିବା ନେଇ ଲେନସେଟ୍ ଡାଇବିଟିକ୍ସ ଆଣ୍ଡ ଏଣ୍ଡୋକ୍ରିନୋଲୋଜି ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ୨୦୨୧ ମସିହାରେ ବିଶ୍ବର ୮୪ ଲକ୍ଷ ୨୩ ହଜାର ୫୩୦ ଜଣଙ୍କଠାରେ ଟାଇପ-୧ ମଧୁମେହ ରୋଗ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ୬୪ ପ୍ରତିଶତ ୨୦-୫୯ ବର୍ଷୀୟ ଅଟନ୍ତି। ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୮ ଲକ୍ଷ ୧୮ ହଜାର ୬୨୦। ୨୦୨୦ ମସିହା ତୁଳନାରେ ଏହା ୫.୧ ପ୍ରତିଶତକୁ ବୃଦ୍ଧି ପାଇଛି।
ଲେନସେଟ୍ର ଏହି ଅଧ୍ୟୟନ ଅନୁସାରେ, ବିଶ୍ବରେ ଦେଖାଯାଉଥିବା ଟାଇପ-୧ ମଧୁମେହ ରୋଗୀଙ୍କ ମଧ୍ୟରୁ କେବଳ ୬୦ ପ୍ରତିଶତ ଭାରତର। ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ୧୪ ଲକ୍ଷ ୧୪ ହଜାର ୪୪୧, ଭାରତରେ ୮ ଲକ୍ଷ ୧୮ ହଜାର ୬୨୦, ବ୍ରାଜିଲରେ ୫ ଲକ୍ଷ ୬୪ ହଜାର ୨୪୯, ଚାଇନାରେ ୪ ଲକ୍ଷ ୩୦ ହଜାର ୬୪୭, ଜର୍ମାନରେ ୪ ଲକ୍ଷ ୨୨ ହଜାର ୮୭ ଜଣଙ୍କଠାରେ ମଧୁମେହ ଚିହ୍ନଟ କରାଯାଇଛି। ଇନସୁଲିନ ଉପରେ ନିର୍ଭରଶୀଳ ଟାଇପ-୧ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଭାରତରେ ଅଣସଂକ୍ରାମକ ରୋଗ ତାଲିକାରେ ମଧୁମେହ ରୋଗୀଙ୍କ ସଂଖ୍ୟା ସର୍ବାଧିକ ନୁହେଁ। ୨୦୧୯ ମସିହାରେ ସମୁଦାୟ ମୃତ୍ୟୁର ୬୬ ପ୍ରତିଶତ ଲୋକଙ୍କର ଅଣସଂକ୍ରାମକ ରୋଗ ଯୋଗୁଁ ମୃତ୍ୟୁ ହୋଇଥିଲା। କାର୍ଡିଓଭସ୍କୁଲାର ଯୋଗୁଁ ସର୍ବାଧିକ ୨୫ ଲକ୍ଷ ୬୬ ହଜାର ୪୯୨ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଦୂଷଣ ଯୋଗୁଁ ଫୁସଫୁସ ଜନିତ କାରଣରୁ ୧୧ ଲକ୍ଷ ୪୬ ହଜାର, କର୍କଟ ରୋଗ ଯୋଗୁଁ ୯ ଲକ୍ଷ ୨୦ ହଜାରଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି। କିନ୍ତୁ ଅନ୍ୟଦିଗରେ ମଧୁମେହ ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ, ୨୦୧୦ରୁ ୨୦୧୯ ମସିହା ମଧ୍ୟରେ ମଧୁମେହ ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୧୭ରୁ ୩ ଲକ୍ଷ ୪୯ ହଜାର ୫୧୫.୮ରେ ପହଞ୍ଚି ସାରିଛି। ବିଶ୍ବ ଇକୋନୋମିକ ଫୋରମ ଏବଂ ହାଭାର୍ଡ ସ୍କୁଲ ଅଫ ପବ୍ଲିକ ହେଲ୍ଥ ଅନୁସାରେ, ୨୦୩୦ ମସିହା ସୁଦ୍ଧା ଅଣସଂକ୍ରାମକ ରୋଗ ପାଇଁ ଭାରତ ୩.୫୫ ଲକ୍ଷ କୋଟି ଡଲାର ହରାଇ ସାରିଥିବ। ଏଥିରୁ କେବଳ ୦.୧୫ ଲକ୍ଷ କୋଟି ମଧୁମେହ ଯୋଗୁଁ ଅଟେ। କାର୍ଡିଓଭାସ୍କୁଲାର ଯୋଗୁଁ ଅର୍ଥନୀତି ସର୍ବାଧିକ ପ୍ରଭାବିତ ହୋଇ ୨.୧୭ ଲକ୍ଷ କୋଟି ଡଲାର, ଫୁସଫୁସ ଯୋଗୁଁ ୦.୯୮ ଲକ୍ଷ କୋଟି ଡଲାର, କର୍କଟ ଯୋଗୁଁ ୦.୨୫ ଲକ୍ଷ କୋଟି ଡଲାର ଖର୍ଚ୍ଚ ହେବା ନେଇ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ।
