‘ଭାରତ ଯୋଡ଼ୋ ଯାତ୍ରା’କୁ ହଲିଉଡରୁ ସମର୍ଥନ, ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଟ୍ୱିଟ କଲେ ଅଭିନେତା ଜନ କୁସାକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରର ବିଜେପି ସରକାରଙ୍କ ବିଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ କଂଗ୍ରେସ ଆରମ୍ଭ କରିଥିବା ଭାରତ ଯୋଡ଼ୋ ଯାତ୍ରାକୁ ବିପୁଳ ସମର୍ଥନ ମିଳିବାରେ ଲାଗିଛି। ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ବିଶାଳ ପଦଯାତ୍ରା କଶ୍ମୀର ପର୍ଯ୍ୟନ୍ତ ଚାଲିବ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ନିଜେ ଏହି ପଦଯାତ୍ରାର ନେତୃତ୍ୱ ନେଉଛନ୍ତି।ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ କଂଗ୍ରେସର ଏହି ପଦଯାତ୍ରାକୁ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ରାହୁଲ ଗାନ୍ଧିଙ୍କ ପାଇଁ ସ୍ୱତନ୍ତ୍ର ବାର୍ତ୍ତା ପଠାଇଛନ୍ତି ହଲିଉଡର ସୁପ୍ରସିଦ୍ଧ ଅଭିନେତା ଜନ କୁସାକ। ସେ ଟ୍ୱିଟ କରି ରାହୁଲ ଗାନ୍ଧି ଓ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କରିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ମଧ୍ୟ ସେ କୃଷି ବିଲ୍‌ ଓ ସିଏଏ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିଥିଲେ।

ଏବେ ସେ ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ, “ଭାରତୀୟ ସାଂସଦ ରାହୁଲ ଗାନ୍ଧି ଚାଲିଚାଲି କାଶ୍ମୀର ଯାଉଛନ୍ତି। କେରଳରୁ ସେ ଯାତ୍ରା ଆରମ୍ଭ କରିଛନ୍ତି।” ଏହାର କିଛି ସମୟରେ ପରେ ଜଣେ ଟ୍ୱିଟର ବ୍ୟବହାରୀକାରୀ ରାହୁଲଙ୍କ ସମର୍ଥନ ପାଇଁ ଜନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାର ଜବାବରେ ଜନ୍‌ କହିଛନ୍ତି ଯେ, “ହଁ, ସବୁସ୍ଥାନରେ ସବୁବେଳେ ମୁଁ ଅଣ ଫାଶିବାଦୀଙ୍କ ସହ ରହିଛି।”

ସୂଚନାଯୋଗ୍ୟ ଯେ, କଂଗ୍ରେସ ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରାରେ ୧୫୦ ଦିନରେ ୩୫୦୦ କିମି ପଥ ଅତିକ୍ରମ କରିବାକୁ ରାହୁଲ ଗାନ୍ଧି ଲକ୍ଷ୍ୟ ରଖିଛନ୍ତି। ଏହି ଯାତ୍ରା ସମୟରେ ସେ ୧୨ଟି ରାଜ୍ୟ ଅତିକ୍ରମ କରିବେ। ବର୍ତ୍ତମାନ କେରଳରେ ଚାଲିଥିବା ଏହି ପଦଯାତ୍ରା ସେପ୍ଟେମ୍ବର ୩୦ ବେଳକୁ କର୍ଣ୍ଣାଟକାରେ ପହଞ୍ଚିବ। କର୍ଣ୍ଣାଟକାରେ ୨୧ ଦିନ ଏହି ଯାତ୍ରା ଚାଲିବା ପରେ ରାହୁଲ ଗାନ୍ଧି ଉତ୍ତର ଭାରତ ଅଭିମୁଖେ ଯିବେ। ପ୍ରତିଦିନ ରାହୁଲ ଗାନ୍ଧି ଓ ତାଙ୍କ ସାଥିରେ ଥିବା କଂଗ୍ରେସ କର୍ମୀମାନେ ୨୫ କିମି ପଦଯାତ୍ରା କରୁଛନ୍ତି। ଏହି ପଦଯାତ୍ରା ସମୟରେ ରାହୁଲ ସାଧାରଣ ଲୋକଙ୍କ ସହ ମିଶିବା ସହ ସେମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝୁଛନ୍ତି।

Related Posts