ଗାଜିଆବାଦ: ଫ୍ଲାଇ ଓଭର୍‌ରେ ଜନ୍ମଦିନ ପାର୍ଟି କରି ଗଣ୍ଡଗୋଳିଆ ପରିସ୍ଥିତ ସୃଷ୍ଟି କରିବା ପଡିଲା ମହଙ୍ଗା। ଏନେଇ ପୋଲିସ ୨୧ଜଣଙ୍କୁ ଗିରଫ କରିଛି । ଦିଲ୍ଲୀ ନିକଟବର୍ତ୍ତୀ ଉତ୍ତର ପ୍ରଦେଶର ଗାଜିବାଦସ୍ଥିତ ନିକଟରେ ଘଟିଛି ଏହି ଘଟଣା । ଏଥିସହ ପୋଲିସ ଘଟଣାସ୍ଥଳରୁ ୮ଟି ସୌଖିନ କାର୍‌ ଜବତ କରାଯାଇଥିବା କଥା ଗାଜିଆବାଦର ଇନ୍ଦିରାପୁରମ୍‌ ପୁଲିସ କହିଛି।

ପ୍ରାପ୍ତ ସୂଚନା ଅନୁସାରେ, ଅଭିଯୁକ୍ତମାନେ ମଙ୍ଗଳବାର ମଧ୍ୟରାତ୍ରରେ ଦିଲ୍ଲୀ ପୂର୍ବାଞ୍ଚଳ ଅନ୍ତର୍ଗତ ଜଗତ୍‌ପୁରୀ ବାସିନ୍ଦା ୨୧ ବର୍ଷିୟ ଆଂଶ୍‌ କୋହ୍‌ଲିଙ୍କର ଜନ୍ମଦିନ ପାଳନ କରୁଥିଲେ।

ସେମାନେ କାର୍‌ର ବନେଟ୍‌ ଉପରେ କେକ୍‌ କାଟିବା ସହ ଉଚ୍ଚ ଧ୍ବନିରେ ସଙ୍ଗୀତ ବଜାଉ ଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସିଟି ଏସ୍‌.ପି. ଜ୍ଞାନେନ୍ଦ୍ର ସିଂହ କହିଛନ୍ତି, ବିଶୃଙ୍ଖଳିତ ଭାବେ କାର୍‌ ରଖି ଅଭିଯୁକ୍ତମାନେ ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି କରିଥିଲେ। ଯାତ୍ରୀମାନଙ୍କୁ ସେମାନେ ମନ୍ଦ ଭାଷାରେ ଗାଳିଫଜିତ୍‌ ମଧ୍ୟ କରୁଥିଲେ।

ଗିରଫ ସମସ୍ତ ୨୧ଜଣ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କଥା ସେ କହିଛନ୍ତି ।