ପ୍ରସ୍ତୁତି ସମ୍ମିଳନୀ ବନାମ ପ୍ରତିନିଧି ସମ୍ମିଳନୀ; ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ବିଜେଡି-ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେଡିର ପ୍ରସ୍ତୁତି ସମ୍ମିଳନୀ ବନାମ ବିଜେପିର ପ୍ରତିନିଧି ସମ୍ମିଳନୀ। ରାଜଧାନୀ ଭୁବନେଶ୍ୱରରେ ଆଜି ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିବ । ଆଜି ଜନତା ମଇଦାନରେ ବିଜେପି ପ୍ରତିନିଧି ସମ୍ମିଳନୀ ଆୟୋଜନ କରିଛି ଆଉ ସେପଟେ ବରମୁଣ୍ଡା ପଡିଆରେ ପଦଯାତ୍ରା ପ୍ରସ୍ତୁତି ପାଇଁ ସମ୍ମିଳନୀ କରିବ ବିଜେଡି । ବିଜେପି ସମ୍ମିଳନୀରେ ଯୋଗ ଦେବାକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସୁଛନ୍ତି । ସେ ପୂର୍ବାହ୍ନ ୧୧ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ରାଷ୍ଟ୍ରିୟ ସଭାପତି ହେବା ପରେ ନଡ୍ଡା ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଥିବାରୁ ରାଜ୍ୟ ବିଜେପି ବେଶ ଉତ୍ସାହିତ ଅଛି । ବିମାନ ବନ୍ଦରରେ ତାଙ୍କୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦେବାକୁ ରାଜ୍ୟ ବିଜେପି ପ୍ରସ୍ତୁତ ହୋଇଛି । ଏଥିସହ ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ପଞ୍ଚାୟତସ୍ତରୀୟ ନେତାଙ୍କ ସମ୍ମିଳନୀକୁ ସଫଳ କରିବାକୁ ପୂରା ପ୍ରସ୍ତୁତି କରିଛି ବିଜେପି । ଏହି ସମ୍ମିଳନୀରେ ନଡ୍ଡା ପଞ୍ଚାୟତ ସ୍ତରୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ । ଏହା ପରେ ବିଧାୟକ, ସାଂସଦ ଓ ଅନ୍ୟ ନେତାମାନଙ୍କ ସହ ୨୦୨୪ ନିର୍ବାଚନ ନେଇ ଆଲୋଚନା କରିବେ । ନଡ୍ଡାଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛି ରାଜ୍ୟ ବିଜେପି । ନଡ୍ଡାଙ୍କ ଗସ୍ତ ରାଜ୍ୟ ବିଜେପିକୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି ସଭାପତି ସମୀର ମହାନ୍ତି । ବିଜେପି ଓଡିଶାରେ ପୁଣି ମିଶନ ୧୨୦ ନେଇ ୨୦୨୪ ନିର୍ବାଚନକୁ ଓହ୍ଲାଇବ ବୋଲି ପ୍ରଦୀପ ପୂରୋହିତ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପଛରେ ରହିନାହିଁ ବିଜେଡି, ଦଳ ପକ୍ଷରୁ ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି ଜନ ସଂପର୍କ ପଦଯାତ୍ରା। ଏହାର ପ୍ରସ୍ତୁତି ପାଇଁ ବରମୁଣ୍ଡା ପଡିଆରେ ଆଜି ଓ ଆସନ୍ତାକାଲି ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀର ଆୟୋଜନ କରିଛି ବିଜେଡି । ଦୁଇ ଦିନରେ ପଦଯାତ୍ରାର ପ୍ରସ୍ତୁତି ଓ ପଦଯାତ୍ରା ସମୟରେ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଞ୍ଚାଯିବ, ସେ ନେଇ ଛାମୁଆ ସଂଗଠନର ନେତାଙ୍କୁ ମନ୍ତ୍ର ଦିଆଯିବ । ତେବେ ଗୋଟିଏ ଦିନରେ ବଜେଡି ଓ ବିଜେପି ସମ୍ମିଳନୀ କରିବା ପଛର କାରଣ କ’ଣ, ତାର ଉତ୍ତର ମିଳିନାହିଁ । ହେଲେ, ଚର୍ଚ୍ଚା ହେଉଛି ଦଳୀୟ କର୍ମୀଙ୍କ ମନୋବଳକୁ ଉତ୍ସାହିତ କରିବା ପାଇଁ ଓ ଶକ୍ତି ପ୍ରଦର୍ଶନ କରିବାକୁ ଗୋଟିଏ ଦିନକୁ ଦୁଇ ଦଳ ବାଛିଛନ୍ତି ।

Related Posts