ମହେନ୍ଦ୍ର ସିଂହ ଧୋନିଙ୍କ ଟି-୨୦ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ଥିରୁଅନନ୍ତପୁରମ: ଟି-୨୦ ସିରିଜ୍‌ରେ ଭାରତ ଭଲ ଖେଳ ଖେଳୁଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ଅତି ସହଜରେ ୮ ୱିକେଟରେ ଜିତି ନେଇଛି। ଏହି ବିଜୟ ସହ ୩ ଟିକିଆ ଟି-୨୦ ସିରିଜ୍‌ରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୧-୦ରେ ଆଗୁଆ ହୋଇଯାଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ଟି-୨୦ ସିରିଜକୁ ଦଖଲ କରିଥିଲା। ଏବେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ମ୍ୟାଚ୍‌ରେ ହରାଇବା ପରେ ରୋହିତ ଶର୍ମା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଟି-୨୦ ରେକର୍ଡ ଭାଙ୍ଗି ଦେଇଛନ୍ତି।

ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ମ୍ୟାଚରେ ରେକର୍ଡ ଏବେ ରୋହିତ ଶର୍ମାଙ୍କ ନାଁରେ ହୋଇଯାଇଛି। ୨୦୨୨ ବର୍ଷରେ ସେ ଏଯାଏ ୧୬ଟି ମ୍ୟାଚ୍‌ ଜିତି ସାରିଲେଣି। ମହେନ୍ଦ୍ର ସିଂହ ଧୋନି ୨୦୧୬ ବର୍ଷରେ ୧୫ଟି ଟି-୨୦ ମ୍ୟାଚ୍‌ ଜିତିଥିଲେ। ବୁଧବାର ଦକ୍ଷିଣ ଆଫ୍ରିକା ୮ ୱିକେଟରେ ହାରିବା ପରେ ରୋହିତ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।

ଚଳିତ ବର୍ଷ ରୋହିତ ଶର୍ମାଙ୍କ ଅଧୀନରେ ଟିମ ଇଣ୍ଡିଆ ଏଯାଏ ୨୧ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ବେଳେ ୧୬ଟିରେ ଜିତିଛି। ୨୦୨୨ ବର୍ଷ ରୋହିତ ଶର୍ମା କ୍ରମାଗତ ୮ଟି ବିଜୟ ସହ ନିଜର କ୍ୟାପ୍ଟେନ୍ସି ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ରଥମେ ୱେଷ୍ଟଇଣ୍ଡିଜକୁ ୩ଟି ପରେ ଶ୍ରୀଲଙ୍କାକୁ ୩ଟି ଓ ଜୁଲାଇ ମାସରେ ଇଂଲଣ୍ଡକୁ ୨ଟି ମ୍ୟାଚରେ ହରାଇଥିଲା। କାରେବିୟାନ ଖେଳାଯାଇଥିବା ଇଣ୍ଡିଜ୍‌ ବିପକ୍ଷ ୪ ଟି-୨୦ ମ୍ୟାଚ୍‌ରୁ ରୋହିତ ଆଣ୍ଡ କୋ ୩ଟିରେ ଜିତିଥିଲେ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଚଳିତ ବର୍ଷ ଟିମ ଇଣ୍ଡିଆ ଏସିଆ କପ ଖେଳିଥିଲା। ହେଲେ ସୁପର ୪ରେ ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ହାରି ଯାଇଥିଲା। ଫଳରେ ୨୦୧୪ ପରେ ପ୍ରଥମଥର ପାଇଁ ଟିମ ଇଣ୍ଡିଆ ଏସିଆ କପ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ଏହାପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଖେଳିଥିବା ସମସ୍ତ ଦ୍ୱିପାକ୍ଷିକ, ତ୍ରିପାକ୍ଷିକ ଓ ମଲ୍ଟିନେଶନ ସିରିଜ୍‌ରେ ଜିତିଥିଲା। କିନ୍ତୁ ଏସିଆ କପରେ ଦଳ ସୁପର ୪ରୁ ବିଦା ହୋଇଥିଲା।

Related Posts