ନୂଆଦିଲ୍ଲୀ :ମେଘାଳୟର ଅତିରିକ୍ତ ରାଜ୍ୟପାଳ ଦାୟିତ୍ବ ତୁଲାଇବେ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବ୍ରିଗେଡିୟର ବି ଡି ମିଶ୍ର । ଶନିବାର ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ମିଳିଛି। ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ କାର୍ଯ୍ୟକାଳ ଆସନ୍ତାକାଲି (ଅକ୍ଟୋବର ୩)ରେ ଶେଷ ହେବ। ତାଙ୍କ କାର୍ଯ୍ୟକାଳ ଆଉ ବଢ଼ାଯାଇନାହିଁ। ମୋଦୀ ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଲଗାତାର ବୟାନ ଦେଇ ଚର୍ଚ୍ଚାରେ ରହିଥିବା ମଲିକ ୨୦୨୦ ଅଗଷ୍ଟ ମାସରେ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ବିହାର, ଜମ୍ମୁ-କାଶ୍ମୀର ଏବଂ ଗୋଆର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ଉତ୍ତରପ୍ରଦେଶର ଭାଗପତରୁ ଆସିଥିବା ମଲିକ ରାଜ୍ୟସଭା ସଦସ୍ୟ ମଧ୍ୟ ଥିଲେ। ନିକଟରେ ଏକ ଗଣମାଧ୍ୟମ ରିପୋର୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ ଅବସର ପରେ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ଏବଂ କୃଷକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିବେ।
