କଟକ: ଗତ ଦୁଇ ବର୍ଷ ପରେ ବେଶ ଧୁମଧାମରେ ହେବ ବାଲିଯାତ୍ରା । ଏନେଇ ପ୍ରଶାସନ ପକ୍ଷରୁ ଅନୁମତି ମିଲିସରିବା ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜାଗାକୁ କୁ ନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ତଳପଡ଼ିଆରେ ମାତ୍ର ହଜାରେ ବର୍ଗଫୁଟ୍‌ର ଜାଗା ଖଣ୍ଡେ ନେଇ ବ୍ୟବସାୟ କରିବାକୁ ହେଲେ କେବଳ ଜାଗା ପାଇଁ ଦେବାକୁ ପଡ଼ିବ ୫ଲକ୍ଷ ଟଙ୍କା। ଯଦି ୧୦ହଜାର ବର୍ଗଫୁଟ ଜାଗା ନେବେ, ତେବେ ଦେବାକୁ ପଡ଼ିବ ୫୦ଲକ୍ଷ ଟଙ୍କା। ଏମିତି ବି ବ୍ୟବସାୟୀ ଅଛନ୍ତି ଯିଏକି ୫୦/୬୦ଲକ୍ଷ ଟଙ୍କା ଦେଇ ବାଲିଯାତ୍ରା ପାଇଁ ଜାଗା ନିଜ ନାମରେ କରି ସାରିଲେଣି। ୫ ଲକ୍ଷରୁ ଅଧିକ ଟଙ୍କା ଦେଇ ଜାଗା ଦଖଲ କରୁଥିବା ବ୍ୟବସାୟୀଙ୍କ ପାଇଁ ସମୟସୀମା ଆଜି ଶେଷ ହୋଇଥିବା ବେଳେ ଆସନ୍ତାକାଲିଠାରୁ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଜାଗା ପାଇବା ପାଇଁ ଅକ୍ସନ୍‌ (ନିଲାମ) ପ୍ରକ୍ରିୟା।

ସେମାନଙ୍କୁ ବି ବାଲିଯାତ୍ରା ଉପର ପଡ଼ିଆରେ ହଜାରେ ବର୍ଗଫୁଟ୍‌ର ଜାଗା ଖଣ୍ଡେ ପାଇବାକୁ ହେଲେ ଅତି କମ୍‌ରେ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଯେହେତୁ ସେମାନଙ୍କ ପାଇଁ ନିଲାମ ପ୍ରକ୍ରିୟା ଲାଗୁ ହୋଇଛି, ଯିଏ ୫୦ ହଜାର ଟଙ୍କା ଉପରେ ଯେତେ ଅଧିକ ଟଙ୍କା ନିଲାମ ଡାକିବ, ତାଙ୍କୁ ଆଗ ଜାଗା ମିଳିବ। ଏଭଳି ପ୍ରକ୍ରିୟା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୮ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ୯ ଦିନର ବାଲିଯାତ୍ରା ପାଇଁ ଜାଗାର ଦର ଏଭଳି ଅମୂଲ ମୂଲ ହେବା ଘଟଣା ସାଧାରଣ ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ବାଲିଯାତ୍ରା ସମୟରେ ବ୍ୟବସାୟ କରି ବର୍ଷକର ରୋଜଗାର ସଞ୍ଚୟ କରିବାକୁ ଆଶା ରଖିଥିବା ବ୍ୟବସାୟୀ ଏ ପ୍ରକାର ଘଟଣାରେ ଏକପ୍ରକାର ହତାଶ ହୋଇ ପଡ଼ିଛନ୍ତି।

ବାଲିଯାତ୍ରା ସମୟରେ ପ୍ରତିକୂଳ ପାଣିପାଗ ବି କିଛି ନୂଆ କଥା ନୁହେଁ। ଏଥିରେ ଏତେ ଦରରେ ଜାଗା ଖଣ୍ଡେ ନେଇ କେତେ ଟଙ୍କାର ବେପାର କରିବେ ବୋଲି ଏବେ ସାଧାରଣ ବ୍ୟବସାୟୀ ପ୍ରଶ୍ନ କରିଛନ୍ତି। ଜାଗା ଦର କେବଳ ଏତିକି ହୋଇଥିବା ବେଳେ ଷ୍ଟଲ୍ ନିର୍ମାଣ ଏବଂ ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବି ରହିଛି। ଏତିକି ଟଙ୍କାରେ ତ ସହରରେ ତ କେଉଁଠି ସ୍ଥାୟୀ ଜାଗା ଖଣ୍ଡେ କିଣି ହୋଇଯିବ ବୋଲି ଅନେକ ବ୍ୟବସାୟୀ ଏବେ ମତ ଦେଉଛନ୍ତି। ୨୦୧୯ରେ ବାଲିଯାତ୍ରା ପଡ଼ିଆରେ ବର୍ଗଫୁଟ ଜାଗାର ଦର ୨୭ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏଥର ଏଭଳି ଚଢ଼ା ଦର ସାଧାରଣ ବ୍ୟବସାୟୀ, ଗ୍ରାହକ ଏବଂ ବାଲିଯାତ୍ରା ବ୍ୟବସାୟକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି।