ଆଦାନୀ ଓ ଅମିତ ଶାହଙ୍କ ପୁଅଙ୍କୁ ରାଜସ୍ଥାନ ରେ ବ୍ୟବସାୟ ପାଇଁ ସ୍ଵାଗତ – ଗେହଲଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିଳ୍ପପତି ଗୌତମ ଆଦାନୀ ହୁଅନ୍ତୁ କିମ୍ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ହୁଅନ୍ତୁ ପୁଞ୍ଜି ନିବେଶ ପାଇଁ ରାଜସ୍ଥାନ ସମସ୍ତଙ୍କୁ ସ୍ୱାଗତ କରିବ। ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍।

ତେବେ ଜୟପୁରରେ ଅନୁଷ୍ଠିତ ‘ନିବେଶ ରାଜସ୍ଥାନ ସମ୍ମିଳନୀ’ରେ ଶିଳ୍ପପତି ଗୌତମ ଆଦାନୀ ରାଜ୍ୟରେ ୬୦,୦୦୦ କୋଟିର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଆଦାନୀଙ୍କୁ ପ୍ରଶଂସା କରିଥିଲେ। ଏହାକୁ ନେଇ ବିଜେପି ପକ୍ଷରୁ କଂଗ୍ରେସକୁ ପରିହାସ କରାଯାଇଥିଲା। ବିଜେପି କହିଥିଲା ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳର ଅନେକ ସଦସ୍ୟ ମାନେ ଅତୀତରେ ଶିଳ୍ପପତିଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ହେଲେ ଏବେ କଂଗ୍ରେସର ମୁଖ୍ୟମନ୍ତ୍ରୀ ନିଜେ ଶିଳ୍ପପତିଙ୍କ ପ୍ରଶଂସା କରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା।

ତେବେ ବିଜେପିର ଏଭଳି ମନ୍ତବ୍ୟ ଆସିବା ପରେ ଗେହଲଟ କହିଛନ୍ତି ଯେ, ରାଜସ୍ଥାନରେ ପୁଞ୍ଜି ବିନିଯୋଗ ହେବାର ଆବଶ୍ୟକତା ରହିଛି। ସେ ଶିଳ୍ପପତି ଗୌତମ ଆଦାନୀ ହୁଅନ୍ତୁ କିମ୍ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ହୁଅନ୍ତୁ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଚାହିଁଲେ ଆମେ ସମସ୍ତଙ୍କୁ ସ୍ଵାଗତ କରିବୁ ବୋଲି ଗେହଲଟ କହିଛନ୍ତି।

ଅନ୍ୟପଟେ ଆଦାନୀଙ୍କୁ ଗେହଲଟ ପ୍ରଶଂସା କରିବା ଘଟଣାରେ ରାହୁଲ ଗାନ୍ଧୀ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସେ କେବେ ହେଲେ ପୁଞ୍ଜିନିବେଶର ବିରୋଧୀ ନୁହନ୍ତି। ଶ୍ରୀ ଆଦାନୀ ରାଜସ୍ଥାନରେ ୬୦,୦୦୦ କୋଟିର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଜଣେ ମୁଖ୍ୟମନ୍ତ୍ରୀ ଏପରି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି। ବ୍ୟବସାୟକୁ ସାହାଯ୍ୟ କରିବା ପାଇଁ ରାଜନୈତିକ ଶକ୍ତିର ଅପବ୍ୟବହାରକୁ ସେ ବିରୋଧ କରନ୍ତି ବୋଲି ରାହୁଲ କହିଛନ୍ତି।

ରାହୁଲ ଆହୁରି କହିଛନ୍ତି ଯେ, ୨ କିମ୍ବା ୩ଟି ବଡ ବ୍ୟବସାୟୀଙ୍କୁ ଏକଚାଟିଆ ଭାବେ ଦେଶରେ ବ୍ୟବସାୟ କରିବା ପାଇଁ ରାଜନୈତିକ ଦୃଷ୍ଟିରୁ ସାହାଯ୍ୟ କରାଯାଉଛି ଏହାକୁ ମୁଁ ବିରୋଧ କରୁଛି। ରାଜସ୍ଥାନରେ ଆଦାନୀଙ୍କୁ ବ୍ୟବସାୟରେ ସାହାଯ୍ୟ କରିବା ପାଇଁ ରାଜସ୍ଥାନ ସରକାର କୌଣସି ରାଜନୈତିକ ଶକ୍ତି ବ୍ୟବହାର କରିନାହାଁନ୍ତି। ଯେଉଁ ଦିନ ସେମାନେ ତାହା କରିବେ ମୁଁ ପ୍ରଥମେ ତାଙ୍କ ବିରୋଧରେ ଛିଡ଼ା ହେବି ବୋଲି ରାହୁଲ କହିଛନ୍ତି।

Related Posts