ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ସୋନିଆ ଗାନ୍ଧୀ ମଲ୍ଲିକାର୍ଜୁନ୍ ଖଡଗେଙ୍କୁ ସମର୍ଥନ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଗାନ୍ଧୀ ପରିବାର ପରୋକ୍ଷରେ ତାଙ୍କୁ ପ୍ରାର୍ଥୀ କରିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିଜେ ମଲ୍ଲିକାର୍ଜୁନ୍ ଖଡଗେ। ସେ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ପାଇଁ ତାଙ୍କ ନାମ କେବେ ପରାମର୍ଶ ଦେଇନାହାଁନ୍ତି। ଏହାକୁ ଏକ ଗୁଜବ ବୋଲି ସେ କହିଛନ୍ତି।
ଖଡଗେ କହିଛନ୍ତି ଯେ, ଅଧ୍ୟକ୍ଷ ପଦ ପାଇଁ ମୋର ନାମ ନେଇ ସୋନିଆ ଗାନ୍ଧୀ ପରାମର୍ଶ ଦେଇଥିବା କଥା ଏକ ଗୁଜବ ଅଟେ, ମୁଁ ଏହା କେବେ କହିନାହିଁ। ଏହାସହିତ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଗାନ୍ଧୀ ପରିବାରର କେହି ଅଧ୍ୟକ୍ଷ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ କିମ୍ବା କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ। କଂଗ୍ରେସ ଦଳ, ସୋନିଆ ଗାନ୍ଧୀ ଏବଂ ମୋତେ ବଦନାମ କରିବା ପାଇଁ କେହି କେହି ଏଭଳି ଗୁଜବ ପ୍ରଚାର କରୁଥିବା ଖଡଗେ କହିଛନ୍ତି। ତେବେ ଏହି ନିର୍ବାଚନ ଦେଶ ଓ କଂଗ୍ରେସ ଦଳର ହିତ ପାଇଁ ସେ ଲଢ଼ୁଥିବା ଖଡଗେ କହିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦଳର ସଂସଦ ଶଶି ଥରୁର ଏବଂ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ପରସ୍ପର ବିରୋଧରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଏହି ନିର୍ବାଚନ ପାଇଁ ଅକ୍ଟୋବର ୧୬ ରେ ମତଦାନ ହେବ ଏବଂ ଅକ୍ଟୋବର ୧୯ ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନରେ ଦଳର ୯୦୦୦ରୁ ଉର୍ଦ୍ଧ ନେତା ମତଦାନ କରିବେ। ତେବେ ଦୀର୍ଘଦିନ ପରେ ଦଳକୁ ଜଣେ ଅଣଗାନ୍ଧୀ ଅଧ୍ୟକ୍ଷ ମିଳିବାକୁ ଯାଉଛନ୍ତି। ତେବେ ଏହି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ମଲ୍ଲିକାର୍ଜୁନ ଖଡଗେଙ୍କୁ ଗାନ୍ଧୀ ପରିବାର ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ଖଡଗେ ସଂପୂର୍ଣ୍ଣ ଖଣ୍ଡନ କରିବା ସହିତ ଏହାକୁ ଗୁଜବ ବୋଲି କହିଛନ୍ତି।
