ପ୍ରଥମ ପତ୍ନୀଙ୍କ ଦାୟିତ୍ବ ତୁଲାଇବାରେ ଅସମର୍ଥ ଥିବା ମୁସଲିମ ବ୍ୟକ୍ତି ଦ୍ବିତୀୟ ବିବାହ କରି ପାରିବେ ନାହିଁ: ଆହ୍ଲାବାଦ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁସଲିମ ମାନଙ୍କ ଦ୍ଵିତୀୟ ବିବାହ ନେଇ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ଏକ ବଡ଼ ରାୟ ଶୁଣାଇଛନ୍ତି। ପ୍ରଥମ ପତ୍ନୀ ଓ ସନ୍ତାନଙ୍କ ଦାୟିତ୍ବ ତୁଲାଇବାରେ ଅସମର୍ଥ ଥିବା ମୁସଲିମ ବ୍ୟକ୍ତିଙ୍କୁ ଦ୍ବିତୀୟ ବିବାହ ପାଇଁ ଅନୁମତି ଦିଆଯିବନାହିଁ । ପ୍ରଥମ ପତ୍ନୀଙ୍କ ଇଚ୍ଛା ସତ୍ତ୍ବେ କୋର୍ଟଙ୍କ ମାଧ୍ୟମରେ ଦ୍ବିତୀୟ ବିବାହ ପାଇଁ ଅଧିକାର ମିଳିବ ନାହିଁ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି ।

ଜଷ୍ଟିସ ଏସପି କେସରୱାନି ଓ ଜଷ୍ଟିସ ରାଜେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ଆବେଦନକାରୀ ଅଜିଜୁରେହମାନଙ୍କ ଅପିଲକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ପତ୍ନୀଙ୍କ ସହମତି ବିନା ଦ୍ବିତୀୟ ବିବାହ କରିବା ପ୍ରଥମ ପତ୍ନୀଙ୍କ ସହିତ ନିଷ୍ଠୁରତା । ପ୍ରଥମ ପତ୍ନୀଙ୍କ ବିନା ଅନୁମତିରେ ଯଦି କୋର୍ଟ ସ୍ବାମୀଙ୍କ ସହିତ ଉକ୍ତ ମହିଳାଙ୍କୁ ବାଧ୍ୟ କରିଥାଏ, ତେବେ ତାହା ମହିଳାଙ୍କ ଗରିମା ଓ ବ୍ୟକ୍ତିଗତ ସ୍ବତନ୍ତ୍ରତାକୁ ଆଘାତ କରିବା ସହିତ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ମଧ୍ୟ ଉଲ୍ଲଘଂନ କରିଥାଏ ।

ତେବେ କୋର୍ଟ ଇସଲାମ ଧର୍ମଗ୍ରନ୍ଥ କୁରାନର ନିୟମକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି । ଯଦି ମୁସଲିମ ଧର୍ମାବଲମ୍ବୀ ବ୍ୟକ୍ତି ଜଣକ ନିଜ ପ୍ରଥମ ପତ୍ନୀ ଓ ସନ୍ତାନଙ୍କ ଯତ୍ନ ବା ଦାୟିତ୍ବ ନେବାରେ ସକ୍ଷମ ନୁହେଁ, ତେବେ ଦ୍ବିତୀୟ ବିବାହ କରିବା ପାଇଁ ତାଙ୍କୁ ଅନୁମତି ମିଳିବ ନାହିଁ । ଆବେଦନକାରୀ ନିଜ ପ୍ରଥମ ପତ୍ନୀଙ୍କ ଇଚ୍ଛା ବିନା ସାଥୀରେ ଦ୍ଵିତୀୟ ପତ୍ନୀଙ୍କୁ ରଖିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ପ୍ରତିଟି ନାଗରିକକୁ ନିଜ ଗରିମାମୟ ଜୀବନ ବିତାଇବାର ଅଧିକାର ରହିଛି । ସେହିପରି ଅନୁଚ୍ଛେଦ ୧୪ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଛି । ଅନୁଚ୍ଛେଦ ୧୫(୨) ଲିଙ୍ଗ କ୍ଷେତ୍ରରେ ଭେଦଭାବ ନ କରିବା ଉପରେ ରୋକ ଲଗାଇଛି । କୌଣସି ବ୍ୟକ୍ତିଗତ ନିୟମ ସାମ୍ବିଧାନିକ ଅଧିକାରକୁ ଉଲ୍ଲଘଂନ କରିପାରିବ ନାହିଁ । ଏହି ବ୍ୟକ୍ତିଗତ ନିୟମ ଅନୁସାରେ ସାମ୍ବିଧାନିକ ମୂଳ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ । ଜୀବନ ଅଧିକାରରେ ଗରିମାମୟ ଅଧିକାର ମଧ୍ୟ ସାମିଲ ରହିଛି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେଉଁ ସମାଜରେ ମହିଳାଙ୍କୁ ସମ୍ମାନ ନାହିଁ, ସେହି ସମାଜ ସଭ୍ୟ ବୋଲି କୁହାଯିବ ନାହିଁ । ମହିଳାଙ୍କୁ ସମ୍ମାନ କରୁଥିବା ଦେଶକୁ ସଭ୍ୟ ଦେଶ କୁହାଯିବ । ମୁସଲିମ ଧର୍ମାବଲମ୍ବୀଙ୍କୁ ଗୋଟିଏ ପତ୍ନୀ ଥିବା ବେଳେ ଦ୍ବିତୀୟ ବିବାହ କରିବାରୁ ଦୂରେଇ ରହିବା ଉଚିତ । ପ୍ରଥମ ପତ୍ନୀଙ୍କ ସହିତ ଅନ୍ୟାୟ କରୁଥିବା ମୁସଲିମଙ୍କୁ ଦ୍ବିତୀୟ ବିବାହ କରିବା ଲାଗି କୁରାନ ମଧ୍ୟ ଅନୁମତି ଦେଇନଥାଏ ବୋଲି କୋର୍ଟ କହିଛନ୍ତି।

ସୂଚନା ଅନୁସାରେ, ଆବେଦନକାରୀ ଅଜିରୁ ରେହମାନ ୧୯୯୯ ମେ ୧୨ରେ ପ୍ରଥମ ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ପିତାମାତାଙ୍କର ସେ ଏକମାତ୍ର ସନ୍ତାନ ଥିବାରୁ ସମ୍ପତ୍ତିର ଉତ୍ତରାଧିକାରୀ ମଧ୍ୟ ସେ ହୋଇଥିଲେ ।ଆବଦେନକାରୀଙ୍କ ପ୍ରଥମ ପତ୍ନୀଙ୍କ ସହିତ ୩ ସନ୍ତାନ ମଧ୍ୟ ରହିଛନ୍ତି । ମାତ୍ର ପ୍ରଥମ ପତ୍ନୀଙ୍କୁ ନ ଜଣାଇ ସେ ଦ୍ବିତୀୟ ବିବାହ କରିଛନ୍ତି । ପ୍ରଥମ ପତ୍ନୀଙ୍କୁ ମଧ୍ୟ ସାଥୀରେ ରଖିବାକୁ ରେହମାନ ପରିବାର ଅଦାଲତରେ ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରିବା ସହିତ ଏହି ବଡ଼ ରାୟ ଶୁଣାଇଛନ୍ତି ।

Related Posts