ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମେତ ୧୭ ଜଣଙ୍କ ନାମରେ ଚାର୍ଜସିଟ୍ ଜାରି ହୋଇଛି। ଏମାନଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ ସମସ୍ତ ଦଫାରେ ଚାର୍ଜ ଫ୍ରେମ କରିଛନ୍ତି ଦିଲ୍ଲୀର ଏକ କୋର୍ଟ । ସୁଶୀଲଙ୍କ ସମେତ ଅନ୍ୟ ୧୭ ଜଣଙ୍କ ବିରୋଧରେ ମଧ୍ୟ କୋର୍ଟ ଲାଗିଥିବା ଦଫାରେ ଚାର୍ଜ ଫ୍ରେମ୍‌ କରିଛନ୍ତି ।

ସୂଚନା ଅନୁସାରେ, ୨୦୨୧ ମସିହା ମେ ୪ ତାରିଖରେ ଦିଲ୍ଲୀର ଛତ୍ରଶାଳ ଷ୍ଟାଡିୟମରେ ଜୁନିୟର କୁସ୍ତି ଯୋଦ୍ଧା ସାଗର ଧନକରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସୁଶୀଲ କୁମାରଙ୍କ ସହ ଅନ୍ୟ ୧୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏମାନଙ୍କ ବିରୋଧରେ ପ୍ରାଣାନ୍ତକ ଆକ୍ରମଣ, ହିଂସାକାଣ୍ଡ ଘଟାଇବା, ବେଆଇନ ଭାବରେ ସଂଗଠିତ ହେବା ଓ ଅନ୍ୟାନ ଧାରରେ ଚାର୍ଜ୍‌ସିଟ୍‌ ପ୍ରସ୍ତୁତ କରିଥିଲା ପୋଲିସ । ବୁଧବାର ଚାର୍ଜସିଟ୍‌ ଅନୁଯାୟୀ ଚାର୍ଜ ଫ୍ରେମ୍‌ କରିଛନ୍ତି ଦିଲ୍ଲୀର ଏକ କୋର୍ଟ ।

ଏହି ମାମଲାର ଆଗାମୀ ଶୁଣାଣିରେ କୋର୍ଟରେ ସମସ୍ତ ପ୍ରମାଣ ସହ ତଦନ୍ତ ରିପୋର୍ଟ ଦାଖଲ କରିବ ପୋଲିସ । ତାସହିତ ସମସ୍ତ ସାକ୍ଷୀଙ୍କ ସାକ୍ଷ୍ୟ ଶୁଣିବେ କୋର୍ଟ । ଏହାପରେ ଦୋଷୀଙ୍କ ବିରୋଧରେ ଦଣ୍ଡ ବିଧାନ କରିବେ । ୨୦୨୧ ମସିହା ମେ ୪ ତାରିଖରେ ଛତ୍ରଶାଳା ଷ୍ଟାଡିୟମରେ ଘଟିଥିବା ମାଡପିଟରେ କୁସ୍ତିଯୋଦ୍ଧା ସାଗର ଧନକରଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ୧୮ଦିନ ପରେ ଅଭିଯୁକ୍ତ ସୁଶୀଲ କୁମାର ଓ ତାଙ୍କ ସାଥୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।

ଏହା ପୂର୍ବରୁ ସୁଶୀଲ କୁମାର ଗିରଫ ଭୟରେ ଦିଲ୍ଲୀର ରୋହୀଣି କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ କୋର୍ଟ ବୁଧବାର ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ସୁଶୀଲଙ୍କୁ ଧରିବା ପାଇଁ ୧ ଲକ୍ଷ ଟଙ୍କା ଓ ତାଙ୍କ ସାଥୀ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୋଲିସ । ପୋଲିସର ଏକ ସ୍ବତନ୍ତ୍ର ଦଳ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ରବିବାର ସୁଶୀଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।