ଜୟପୁର : ଆଗେଇ ଚାଲିଛି ଜୟପୁରେ ନିର୍ମାଣଧୀନ ବିମାନ ଉଡାଣ କାର୍ଯ୍ୟ । ଏହି ଏୟାରପୋର୍ଟଟି କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ରୂପାନ୍ତରିତ ହେଉଛି। ତେବେ ରୂପାନ୍ତରିତ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଏଥିରେ ୬୭ଟି ଭୁଲ ଥିବା ଡିଜିସିଏ ସମୀକ୍ଷା କରିବା ପରେ ରିପୋର୍ଟ ଦେଇଥିଲା।
ତେବେ ଏସବୁର ସଂଶୋଧନ ହେବା ପରେ ଡିଜିସିଏର ଟିମ୍ ପୁଣିଥରେ ଏସବୁର ସମୀକ୍ଷା କରିବାକୁ ଜୟପୁରରେ ପହଞ୍ଚିଛି। ଗତକାଲି ଏହି ଟିମ୍ ଏୟାରପୋର୍ଟ ଯାଞ୍ଚ କରିଥିବା ବେଳେ ଆଜି ପୁଣିଥରେ ଯାଞ୍ଚ ଆରମ୍ଭ ହୋଇଛି। ଏଥିରେ ଉଭୟ କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ଟିମ ସାମିଲ ହୋଇଛନ୍ତି।
ଗୁରୁବାର ସମୀକ୍ଷାପରେ ଜୟପୁରରୁ କେବେ ନିୟମିତ ବିମାନସେବା ଆରମ୍ଭ ହେବ ସେନେଇ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ତେବେ ଏଠାକୁ ନିୟମିତ ବିମାନ ସେବା ପାଇଁ ବିଡ ପାଇଥିବା ‘ଇଣ୍ଡିଆ ଓ୍ବାନ ଏୟାର’ ପରୀକ୍ଷାମୂଳକ ଭାବେ ନିୟମିତ ଭୁବନେଶ୍ୱରରୁ ଜୟପୁରର ଓ ବିଶାଖାପାଟଣାକୁ ଉଡ଼ାଣ ଜାରି ରଖିଛି। ଆଜି ଏୟାରପୋର୍ଟ ଭିତର ଓ ବାହାରର ବିଭିନ୍ନ ସ୍ଥାନ ବୁଲି ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟିର ଟିମ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।
ତେବେ କିଛି ସ୍ଥାନରେ ଅଧିକ ସଂଖ୍ୟକ ସିସିଟିଭି କ୍ୟାମେରା ଲଗାଇବା ନେଇ ସେମାନେ ପ୍ରସ୍ତାବ ଦେଇଛନ୍ତି। ତେବେ ଉଭୟ ଡିଜିସିଏ ଓ ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି ଏହି ସପ୍ତାହ ସୁଦ୍ଧା ସେମାନଙ୍କ ରିପୋର୍ଟ ପ୍ରଦାନ କରିବେ। ସେପଟେ ଏହି ମାସ ଶେଷ ସୁଦ୍ଧା ନିୟମିତ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିବା ସମ୍ଭାବନା ରହିଛି ବୋଲି ପୂର୍ତ୍ତି ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି
