ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆତଙ୍କବାଦ ନିରୋଧ ଅପରେସନ ବେଳେ ଗୁଳି ମାଡ଼ରେ ଆହତ ହୋଇଥିବା ଭାରତୀୟ ସ୍ଥଳ ସେନାର ଲଢ଼ୁଆ କୁକୁର ଜୁମ୍‌ ସହିଦ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ଘଟିଛି। କିଛି ଦିନ ତଳେ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ତେବେ ଆତଙ୍କବାଦୀଙ୍କୁ ଠାବ କରିବା ସହ ପୂରା ଅପରେସନରେ ଆର୍ମି ଡଗ୍‌ ଜୁମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏନକାଉଣ୍ଟର ବେଳେ ତା’ ଦେହରେ ଦୁଇଟି ଗୁଳି ମାଡ଼ ହୋଇଥିଲା। ତା’ ପଛ ଗୋଡ଼ ଓ ମୁହଁ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ ଡାକ୍ତରୀ ଟିମ୍‌ ଆଡଭାନ୍ସ ଫିଲ୍ଡ ଭେଟେରିନାରୀ ହସ୍ପିଟାଲରେ ଜୁମର ଚିକିତ୍ସା କରୁଥିଲେ। କିନ୍ତୁ ଆଜି ଦିନ ୧୨ଟାରେ ତା’ର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ରବିବାର ଅନନ୍ତନାଗର ତଙ୍ଗପାୱା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ସୁରକ୍ଷାକର୍ମୀ ରାତି ତମାମ ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳକୁ କର୍ଡନ କରିଥିଲେ। ସୋମବାର ଆତଙ୍କବାଦୀ ଲୁଚି ରହିଥିବା ଗୋଟିଏ ସନ୍ଦିଗ୍ଧ ଘର ଭିତରକୁ ଜୁମ୍‌କୁ ଛଡ଼ା ଯାଇଥିଲା। ଜୁମ୍ ମଧ୍ୟ ଆତଙ୍କବାଦୀଙ୍କୁ ଠାବ କରି ସେମାନଙ୍କୁ ଆକ୍ରମଣ କରିଥିଲା। ତେବେ ଏହି ଲଢ଼େଇ ବେଳେ ଦୁଇଟି ଗୁଳି ତା’ ଦେହରେ ମାଡ଼ ହେବାରୁ ସେ ଗୁରୁତର ହୋଇଥିଲା। ଗୁଳିମାଡ଼ରେ ଗୁରୁତର ହେବା ସତ୍ତ୍ୱେ ଜୁମ୍‌ ହାର ମାନି ନଥିଲା। ସେ ଆତଙ୍କବାଦୀଙ୍କୁ କାଉଣ୍ଟର କରିବା ସହ ସେମାନଙ୍କୁ ନିହତ କରିବାରେ ସୁରକ୍ଷାକର୍ମୀଙ୍କ ସହାୟତା କରିଥିଲା। ଏନକାଉଣ୍ଟର ପରେ ତା’କୁ ତୁରନ୍ତ ୫୪ ଏଏଫଭିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ଦିନ ୧୨ଟାରେ ତା’ର ମୃତ୍ୟୁ ଘଟିଛି। ଆଜି ଦିନ ୧୧.୪୫ ଯାଏ ଜୁମ ଚିକିତ୍ସା ସେବା ଗ୍ରହଣ କରୁଥିଲା। କିନ୍ତୁ ହଠାତ୍‌ ସେ ଦିନ ୧୨ଟାରେ ଆଖି ବୁଜିଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି।