ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ପୂର୍ବରୁ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଥିବା ବେଳେ ଆଜି ବିଜେଡି ପକ୍ଷରୁ ଅବନ୍ତୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅବନ୍ତୀ ଆଜି ସକାଳୁ ନିଜ ବାସଭବନରୁ ପୂଜାର୍ଚ୍ଚନା କରି ଦଳୀୟ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ତିହିଡ଼ିରୁ ବାହାରି ଧାମନଗର ଓ ସେଠାରୁ ଭଦ୍ରକ ଆସିଥିଲେ।

ଭଦ୍ରକର ନେହେରୁ ଷ୍ଟାଡିୟମ୍ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଭଦ୍ରକ ସହର ପରିକ୍ରମା କରିଥିଲେ।ଏହି ଶୋଭାଯାତ୍ରାରେ ବିଜେଡ଼ିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅମର ଶତପଥୀ, ସାଂସଦ ସୁଲତା ଦେ, ସାଂସଦ ମୁନା ଖାନ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ସଞ୍ଜୀବ ମଲ୍ଲିକ, ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ, ବିଧାୟକ ଅଶୋକ ବଳ, ବିଧାୟକ ସୁନନ୍ଦା ଦାସ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ରଘୁ ଲେଙ୍କା, ହରେକୃଷ୍ଣ ପାଢ଼ୀ, ଶରତ ଦାସ , ପ୍ରିନ୍ସ ରାକେଶ ନାୟକଙ୍କ ସମେତ ଭଦ୍ରକ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଯୋଗଦେଇଥିଲେ।

ଅନ୍ୟପଟେ ଆଜି ବିଜେଡିର ଅସନ୍ତୁଷ୍ଟ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ଵାଧୀନ ଭାବେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଦଳ ଅବନ୍ତୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ରାଜୁ ଅସନ୍ତୁଷ୍ଟ ଥିଲେ। ଅନ୍ୟପଟେ ବିଜେଡିରେ ରାଜୁଙ୍କ ବିଦ୍ରୋହ ପରେ ଆଗକୁ ଧାମନଗର ଉପନିର୍ବାଚନ ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି । ଗତକାଲି ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ସେପଟେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଜେପି ପକ୍ଷରୁ ନାମାଙ୍କନ ଦାଖଲ କରି ସାରିଛନ୍ତି। ଆଜି ଅବନ୍ତୀ ବିଜେଡି ପକ୍ଷରୁ ନାମାଙ୍କନ ଦାଖଲ କରିବା ପରେ ଏବେ ଧାମନଗର ମଇଦାନରେ ୪ ଜଣ ମୁଖ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଦମଦାର ଲଢେଇ ହେବ ବୋଲି ଆଶା କରାଯାଉଛି ।