ବ୍ରହ୍ମପୁର ଏମକେସିଜି ସୁପରସ୍ପେସିଆଲିଟି କୋଠାରୁ ପୁଣି ଖସିଲା ସିଲିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲର ସୁପରସ୍ପେସିଆଲିଟି କୋଠାରୁ ପୁଣିଥରେ ସିଲିଂ ଜିପସମ୍‍ ଖସିଛି। ଶୁକ୍ରବାର ଏହି କୋଠାର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗର ଛାତରୁ ସିଲିଂ ଖସିଛି। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ରୋଗୀ ନ ଥିଲେ ବୋଲି ସୂଚନା ମିଳିଛି।

ସୂଚନା ଯୋଗ୍ୟ ଯେ, ଏମକେସିଜିର ୬ ମହଲା ବିଶିଷ୍ଠ ସୁପରସ୍ପେସିଆଲିଟି କୋଠାରେ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା ଏହାପରେ ବାରମ୍ବାର କୋଠାର ସିଲିଂ ମଧ୍ୟ ଖସୁଛି। ସେଥିପାଇଁ ଏହି କୋଠାଟି ଚର୍ଚ୍ଚାରେ ରହି ଆସିଛି। ଗତ ଡିସେମ୍ବର ୨୬ ତାରିଖରେ ଅଗ୍ନିକାଣ୍ଡ ପରେ ପଞ୍ଚମ ମହଲାରେ ଥିବା ସମସ୍ତ ବିଭାଗର ଅପରେସନ ଥିଏଟରକୁ ବନ୍ଦ କରିଦିଆଯାଇଥିଲା। ମରାମତି ପରେ ଗୁରୁବାର ପୁଣି ଥରେ ଅପରେସନ ଆରମ୍ଭ ହୋଇଥିଲା। ଏବେ ପୁଣି ଶୁକ୍ରବାର ତୃତୀୟ ମହଲାରୁ ସିଲିଂ ଖସିଛି। ଅଗ୍ନିକାଣ୍ଡ ପରେ ଯେଉଁ ଉଚ୍ଚ ସ୍ତରୀୟ କମିଟି ତଦନ୍ତ କରିଥିଲା, ସେଥିରେ ନିର୍ମାଣରେ ନିମ୍ନମାନର ନେଇ ଉଲ୍ଲେଖ ଥିଲା। ତଥାପି ୧୫୦ କୋଟି ଟଙ୍କାରେ ନିର୍ମିତ ଏହି କୋଠାର ନିର୍ମାଣକାରୀ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Related Posts