ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜ୍ଞାନବ୍ୟାପୀ ମସଜିଦ ମାମଲା ଆଜି ଏକ ବଡ଼ ରାୟ ଦେଇଛନ୍ତି ବାରାଣସୀ କୋର୍ଟ। ମସଜିଦ ମଧ୍ୟରୁ ମିଳିଥିବା ବଡ଼ ପଥର ଖଣ୍ଡ ଓ ଅନ୍ୟାନ୍ୟ ଜିନିଷର ବିଜ୍ଞାନିକ ଭିତ୍ତିକ ତଦନ୍ତ କରିବାକୁ ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ହିନ୍ଦୁ ପକ୍ଷରୁ ମସିଜଦରୁ ମିଳିଥିବା ପଥର ଖଣ୍ଡକୁ ଶିବଲିଙ୍ଗ ବୋଲି ଦାବି କରାଯାଇଥିଲା।ଏଥିସହ ଏହା କେତେ ବର୍ଷ ପୁରୁଣା ତା’କୁ ଜାଣିବା ପାଇଁ ଏହାର କାର୍ବନ ଡେଟିଂ ପାଇଁ ଦାବି କରାଯାଇଥିଲା। ହେଲେ ହିନ୍ଦୁ ପକ୍ଷର ଏପରି ଦାବିକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି।
ତେବେ ଜ୍ଞାନବ୍ୟାପୀ ମସଜିଦ ବିବାଦକୁ ଦୃଷ୍ଟିରେ ରଖି ‘ଶିବଲିଙ୍ଗ’ ଠାବ ହୋଇଥିବା ଅଞ୍ଚଳକୁ ସିଲ କରି ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏବେ ଏହାର କାରବନ ଡେଟିଂ ବା ସାଇଣ୍ଟିଫିକ ଯାଞ୍ଚ ପାଇଁ ଅନୁମତି ଦେବାର ଅର୍ଥ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିବା। ଏହାକୁ ଦୃଷ୍ଟିରେ ରଖି ଯାଞ୍ଚ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ବାରାଣସୀ କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ପୂଜାର୍ଚ୍ଚନା କରାଯାଉଥିବା ଦାବି ହୋଇଛି। ଏବେ ସେଠାରେ ସେପରି ପୂଜାର୍ଚ୍ଚନା କରିବାର ଅଧିକାର ଦାବି କରିଥିଲେ କିଛି ମହିଳା। ଏହା ସହ ମସଜିଦର ବାହାର ପଟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ପୂଜାର୍ଚ୍ଚନା ନିମନ୍ତେ ମଧ୍ୟ ଅନୁମତି ଦେବାକୁ ଗତବର୍ଷ ଏକ ଆବେଦନ କରାଯାଇଥିଲା।
ଗତ ବର୍ଷ ମେ’ ମାସରେ ଦିଲ୍ଲୀର ରାକ୍ଷୀ ସିଂ ଓ ବାରାଣସୀର ୪ଜଣ ମହିଳା ସିଭିଲ୍ ଜଜଙ୍କ କୋର୍ଟରେ ଏହି ଆବେଦନ କରିଥିଲେ। ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା। ଭିଡିଓଗ୍ରାଫି ବେଳେ ମସଜିଦାର ୱଜୁଖାନା ନିକଟ ଜଳଶୟରୁ ଗୋଟିଏ ବିରାଟ ପଥରଖଣ୍ଡ ମିଳିଥିଲା। ଏହାକୁ ହିନ୍ଦୁ ପକ୍ଷ ଶିବଲିଙ୍ଗ ବୋଲି କହିଥିଲେ। କିନ୍ତୁ ମୁସଲିମ ପକ୍ଷ ଏହାକୁ ୱାଟରଫାଉଣ୍ଟେନ ବୋଲି ଦାବି କରିଥିଲେ। ବିବାଦ ବଢ଼ିବାରୁ ‘ଶିବଲିଙ୍ଗ’ର ସାଇଣ୍ଟିଫିକ୍ ତଦନ୍ତ ପାଇଁ ହିନ୍ଦୁ ପକ୍ଷ ଦାବି କରିଥିଲେ। ଏହାକୁ ଜ୍ଞାନବ୍ୟାପୀ ମସଜିଦ ପକ୍ଷରୁ ବିରୋଧ କରାଯାଇଥିଲା। ଦୁଇ ପକ୍ଷର ଦାବି ଶୁଣିବା ପରେ କୋର୍ଟ ଆଜି ହିନ୍ଦୁ ପକ୍ଷରୁ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି।
