
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହାଇକୋର୍ଟରେ ପହଞ୍ଚିଲା ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା। ଅର୍ଚ୍ଚନାଙ୍କ ସମ୍ପତ୍ତିର ଇଡି ତଦନ୍ତ ଏବଂ ବେଆଇନ ଭାବେ ରହିଥିବା ଗଚ୍ଛିତ ସମ୍ପତ୍ତିକୁ ବ୍ୟାଜପ୍ତି ନେଇ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର କରାଯାଇଛି। ଏଥିରେ କେନ୍ଦ୍ର ସରକାର, ଇଡି, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ପୁଲିସ ଡିଜି , ଖଣ୍ଡଗିରି ଥାନା ଅଧିକାରୀ ଏବଂ ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଅନ୍ୟପଟେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆଜି ଜାମିନ ଆବେଦନ କରିଛନ୍ତି ରହସ୍ୟମୟୀ ଅର୍ଚ୍ଚନା ନାଗ । ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା। ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇ ନଥିଲା। ଅକ୍ଟୋବର ୧୧ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଜାମିନ ମାମଲାର ଶୁଣାଣି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଭିସି ଯୋଗେ ମାମଲାର ଶୁଣାଣି ହୋଇଥିଲା ।
ସେପଟେ ବିଜେପି ଏ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଅର୍ଚ୍ଚନାଙ୍କୁ ନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଥିବା ବେଳେ ବହୁ ବଡ଼ବଡ଼ିଆ, ରାଜନୈତିକ ଦଳର ନେତା, ବ୍ୟବସାୟୀ, ଓଲିଉଡ ନିର୍ମାତାଙ୍କ ନାମ ଅର୍ଚ୍ଚନାଙ୍କ ସହ ଛନ୍ଦି ହୋଇଛି । ଅର୍ଚ୍ଚନା ନାଗଙ୍କୁ ନେଇ ଦିନକୁ ଦିନ ଅନେକ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ପୁଲିସ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଏହା ସହ ରାଜନେତାଙ୍କ ବୟାନବାଜି ଘଟଣାକୁ ଆହୁରି ଖୋରାକ ଯୋଗାଉଛି।
ଏହି ଘଟଣାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବୟାନ ଚାଞ୍ଚଲ୍ୟ ଖେଳାଇଥିଲା। ଅର୍ଚ୍ଚନା ନାଗର ସତ ପଦାକୁ ଆସିଲେ ରାଜ୍ୟ ସରକାର ଭାଙ୍ଗିଯିବ ବୋଲି କହିଥିଲେ ସନ୍ତୋଷ ସିଂ ସାଲୁଜା। ଅର୍ଚ୍ଚନାଙ୍କ ଜାଲରେ ରାଜ୍ୟର ୨୫ରୁ ଅଧିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତଙ୍କ ଲିଙ୍କ ରହିଛି। ଅର୍ଚ୍ଚନାଙ୍କ ସାମ୍ରାଜ୍ୟରେ କେବଳ ସେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା ତାହା ନୁହେଁ ଡ୍ରଗ୍ସ ପସରା ମଧ୍ୟ ମେଲିଥିଲା। ବଡ଼ବଡ଼ିଆଙ୍କ ହାତ ଥିବାରୁ ପୁଲିସ ଉପର ଠାଉରିଆ ତଦନ୍ତ ଚଲାଉଥିବା ଅଭିଯୋଗ କରିଥିଲେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ।