ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଞ୍ଜାବର ମନସା ପୋଲିସ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଆଉ ଏକ ସଫଳତା ପାଇଛି। ଏହି ମାମଲାରେ ଅଭିଯୁକ୍ତ ଜଗତାର ସିଂଙ୍କୁ ଅମୃତସର ବିମାନ ବନ୍ଦରରୁ ପୋଲିସ ଗିରଫ କରିଛି। କୁହାଯାଉଛି ଯେ, ଅଭିଯୁକ୍ତ ଜଣକ ଦୁବାଇକୁ ପଳାଇବାକୁ ଚେଷ୍ଟା କରୁଥିଲା।ଅଭିଯୁକ୍ତ ଜଗତାର ସିଂ ସିଦ୍ଧୁ ମୁସେୱାଲାଙ୍କ ପଡ଼ୋଶୀ ଥିଲା। ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରି ମୁସୱାଲାଙ୍କ ପିତା ବଲକୌର ସିଂ ତାଙ୍କ ବିରୋଧରେ ଅଭିଯୋଗ କରିବା ପରେ ଜଗତାରଙ୍କ ବିରୋଧରେ ଲୁକ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା। ଗିରଫ ପରେ ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ସିଦ୍ଧୁ ମୁସେୱାଲା ହତ୍ୟାରେ ତାଙ୍କ ଭୂମିକା ସମ୍ପର୍କରେ ପଚରାଉଚରା କରୁଛି।
ସୂଚନାଯୋଗ୍ୟ ଯେ, ଗତ ମେ ମାସ ୨୯ରେ ପଞ୍ଜାବର ମନସାର ଏକ ଗ୍ରାମରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଲଗାତାର ତାଙ୍କ ଉପରକୁ ଗୁଳି ବିନିମୟ ହୋଇଥିଲା ଓ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ବାରା ପ୍ରାୟ ୩୦ଟି ଗୁଳି ବିନିମୟ କରାଯାଇଥିଲା। ଆକ୍ରମଣର ୧୫ ମିନିଟ ମଧ୍ୟରେ ମୁସେୱାଲାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସହ ଯାତ୍ରା କରୁଥିବା ଅନ୍ୟ ଦୁଇଜଣଙ୍କୁ ପଟିଆଲାଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା। ମୁସେୱାଲା ହତ୍ୟା ପରେ ପଞ୍ଜାବ ସରକାରଙ୍କୁ ମଧ୍ୟ ସମାଲୋଚନା କରାଯାଇଥିଲା। ମୁସେୱାଲା ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ରାଜ୍ୟରୁ ୪୨୩ଟି ଭିଆଇପିଙ୍କ ସହ ମୁସେୱାଲାଙ୍କ ସୁରକ୍ଷାକୁ ମଧ୍ୟ ହଟାଇ ଦିଆଯାଇଥିଲା।
ପଞ୍ଜାବର ଡିଜିପି ଭି.କେ ଭବରାଙ୍କ କହିବାନୁସାରେ, କମାଣ୍ଡୋ ବାଟାଲିୟନର ଦୁଇ ପୋଲିସ କର୍ମଚାରୀ ମୁସେୱାଲାଙ୍କ ସହିତ ନିୟୋଜିତ ହୋଇଥିଲେ ମଧ୍ୟ ଘଟଣା ସମୟରେ ଘରୁ ବାହାରକୁ ଯିବାବେଳେ ସେମାନଙ୍କୁ ସାଙ୍ଗରେ ନେଇ ନଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ଆଇପିସିର ଧାରା ୧୨୦ବି, ୧୪୮, ୧୪୯, ୩୦୨, ୩୦୭, ୩୪୧ ଓ ୪୨୭ ଓ ଆର୍ମ୍ସ ଆକ୍ଟର ଧାରା ୨୫ ଓ ୨୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।
ଅଗଷ୍ଟରେ ପଞ୍ଜାବୀ ସିଙ୍ଗର ମୁସେୱାଲାଙ୍କ ହତ୍ୟା ମାମଲାରେ ୧୮୫୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିଲା। ଚାର୍ଜସିଟରେ ୨୪ ଜଣଙ୍କ ନାମ ରହିଥିଲା, ଯେଉଁଥିରୁ ୨୦ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଚାରିଜଣ ଅନ୍ୟ ଦେଶରେ ରହୁଛନ୍ତି। ଅଭିଯୁକ୍ତ ଗୋଲ୍ଡି ବ୍ରାଙ୍କୁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଛି।
