ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ପାକିସ୍ତାନରୁ ଧମକ ମିଳିଛି। ଗତ ଦୁଇ ଦିନରେ ଦୁଇଟି କଲ୍‌ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ଆସିଛି। ଧମକ ଦେଇଥିବା ବ୍ୟକ୍ତି ନିଜକୁ ପାକିସ୍ତାନର ‌ବୋଲି ପରିଚୟ ଦେଇଛନ୍ତି। ସେ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଦୀନେଶ ଖାରାଙ୍କୁ ଅପହରଣ କରି ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଛି।

ମୁମ୍ବାଇର ନରିମାନ ପଏଣ୍ଟ୍‌ରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ଲ୍ୟାଣ୍ଡ୍‌ଲାଇନ୍‌ରେ ଅକ୍ଟୋବର ୧୩ ତାରିଖ ଦିନ ୧୧ଟା ବେଳେ ଏହି କଲ୍ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

କଲ୍‌ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୫୦୬ (୨) ଆଧାରରେ ମାମଲା ରୁଜୁ କରାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। କଲ୍‌ ପଛର ଉଦ୍ଦେଶ୍ୟ ଜାଣିବାକୁ ପୁଲିସ ପ୍ରୟାସ କରୁଛି। ସୂଚନା ଅନୁସାରେ କଲ୍ କରିଥିବା ବ୍ୟକ୍ତି ନିଜ ମାନ ମହମ୍ମଦ ଜିଆ ଉଲ୍‌ ଅଲିମ୍ ବୋଲି କହିଛନ୍ତି। ଯଦି ଶୀଘ୍ର ଋଣ ମଞ୍ଜୁର କରାନଯିବ ତେବେ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟଙ୍କୁ ଅପହରଣ କରି ହତ୍ୟା କରିବାକୁ ସେ ଧମକ ଦେଇଛନ୍ତି। ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଭାବେ ରଜନୀଶ କୁମାରଙ୍କ ସ୍ଥାନରେ ଦୀନେଶଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ଏହି ପଦରେ ତିନି ବର୍ଷ ପାଇଁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି।