ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ଚର୍ଚ୍ଚାକୁ ଆସିଛି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା। ସିବିଆଇ ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପଚରାଉଚରା କରିବାକୁ ଯାଉଛି। ଗତକାଲି ଏନେଇ ସିସୋଡିଆଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଥିଲା। ଆଜି ସିବିଆଇ ନିକଟରେ ହାଜର ହେବାକୁ ଘରୁ ବାହାରିବା ପୂର୍ବରୁ ମନୀଷ ସିସୋଡିଆ ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଆସିଥିଲେ।

ଏହା ସହିତ ସିସୋଡିଆ ଟୁଇଟ କରି କହିଛନ୍ତି ଯେ, ମୋ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ମାମଲା ରୁଜୁ ହୋଇଛି। ମୋ ଘରେ ଚଢ଼ାଉ କରାଯାଇଥିଲା, କିଛି ମିଳିଲା ନାହିଁ, ମୋର ସମସ୍ତ ବ୍ୟାଙ୍କ ଲକରକୁ ଦେଖିଲେ, କିଛି ମିଳିଲା ନାହିଁ, ମୋ ଗାଁକୁ ଯାଇ ସମସ୍ତ ଅନୁସନ୍ଧାନ କଲେ, କିଛି ବି ମିଳିଲା ନାହିଁ। ଏହି ମାମଲା ସମ୍ପୂର୍ଣ୍ଣ ମିଥ୍ୟା। ଗୁଜରାଟ ନିର୍ବାଚନରୁ ମତେ ଦୂରେଇ ରଖିବାକୁ ବିଜେପି ଚାହୁଁଛି । ମୋତେ ସେମାନେ ଗିରଫ କରି ପାରନ୍ତି। କିନ୍ତୁ ମୋର ଜେଲ ଯିବା ଦ୍ୱାରା ଗୁଜରାଟରେ ନିର୍ବାଚନ ପ୍ରଚାର ବନ୍ଦ ହେବ ନାହିଁ। ଆଜି ପ୍ରତ୍ୟେକ ଗୁଜୁରାଟୀ ମୋ ସହିତ ଠିଆ ହୋଇଛନ୍ତି। ଗୁଜରାଟର ଶିଶୁ ବର୍ତ୍ତମାନ ଭଲ ବିଦ୍ୟାଳୟ, ଡାକ୍ତରଖାନା, ଚାକିରୀ, ବିଦ୍ୟୁତ ପାଇଁ ପ୍ରଚାର କରୁଛନ୍ତିି। ଗୁଜରାଟରେ ହେବାକୁ ଥିବା ନିର୍ବାଚନ ଏକ ଆନ୍ଦୋଳନ ହେବ।

ମୋ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ମାମଲା କରି ସେମାନେ ମୋତେ ଗିରଫ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ମୋତେ ନିର୍ବାଚନ ପ୍ରଚାର ପାଇଁ ଗୁଜରାଟ ଯିବାକୁ ପଡିଥାନ୍ତା। ତେବେ ଏହାକୁ ରୋକିବା ପାଇଁ ଏଭଳି ଜାଣିଶୁଣି କରାଯାଇଛି। ଭାଜପା ଗୁଜରାଟରେ ପରାସ୍ତ ହେବାକୁ ଯାଉଛି। ତେଣୁ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ମୋତେ ଗୁଜୁରାଟ ନିର୍ବାଚନ ପ୍ରଚାରକୁ ଯିବା ପାଇଁ ବନ୍ଦ କରିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସିବିଆଇ ମୁଖ୍ୟାଳୟକୁ ଯାଇ ପୂର୍ଣ୍ଣ ସହଯୋଗ କରିବେ। ସିବିଆଇ ମୁଖ୍ୟାଳୟକୁ ଯିବା ପୂର୍ବରୁ ସେ ରାଜଘାଟ ପରିଦର୍ଶନ କରିବେ।