ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତକାଲି ୯ ଘଣ୍ଟା ଧରି ଜେରା କରିଛି ସିବିଆଇ । ଜେରା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରି ମନୀଷ ତାଙ୍କ ବାସଭବନକୁ ଯାଇଥିଲେ । ଏହାପରେ ସେଠାରେ ସେ ଗଣମାଧ୍ୟମ ସାମ୍ନାରେ ସିବିଆଇ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଜେରା ସମୟରେ ସିବିଆଇ ଅଧିକାରୀମାନେ ତାଙ୍କୁ ଆପ୍ ଛାଡିବାକୁ କହିଥିଲେ ।କେବଳ ଏତିକି ନୁହେଁ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ସେ କୌଣସି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ଆପ୍ ଛାଡିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ସିବିଆଇକୁ ସ୍ପଷ୍ଟ ଭାବେ ଜଣାଇଥିବା ମନୀଷ କହିଛନ୍ତି ।

ଏହା ସହ ସିସୋଦିଆ କହିଛନ୍ତି ଯେ, ତାଙ୍କ ବିରୋଧରେ ରୁଜୁ ହୋଇଥିବା ସବୁ ମାମଲା ଭିତ୍ତିହୀନ। ଏସବୁ ମାମଲା କେବଳ ଦିଲ୍ଲୀରେ ଅପରେସନ୍ ଲୋଟସ୍ କୁ ସଫଳ କରିବା ପାଇଁ ତାଙ୍କ ବିରୋଧରେ ଅଣାଯାଇଛି। ହେଲେ ସେ କୌଣସି ଚାପରେ ଆସିବେ ନାହିଁ କି ଆପ ଛାଡିବେ ନାହିଁ ବୋଲି କହିଛନ୍ତି ମନୀଷ କହିଛନ୍ତି ।

ତେବେ ଗତକାଲି ଦିନ ୧୧ଟା ୩୦ରେ ସିସୋଦିଆଙ୍କୁ ପଚରାଉଚରା ଆରମ୍ଭ କରିଥିଲା ସିବିଆଇ । ଦୀର୍ଘ ୯ ଘଣ୍ଟାର ଜେରା ପରେ ରାତି ୮ଟା ୫୦ ମିନିଟରେ ତାଙ୍କୁ ଛାଡି ଦିଆଯାଇଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ମନୀଷଙ୍କୁ ସମାନ ମାମଲାରେ ତଦନ୍ତକାରୀ ଏଜେନ୍ସିର ଜେରାର ସାମ୍ନା କରିବାକୁ ପଡିଛି।

ଅନ୍ୟପଟେ, ଆପ୍‌ ମୁଖ୍ୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ସିବିଆଇ ଜେରାକୁ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ସହ ଯୋଡ଼ିଛନ୍ତି । କେଜ୍ରିୱାଲ କହିଛନ୍ତି, ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଆସିବ । ସିସୋଦିଆ ଗୁଜରାଟ ନିର୍ବାଚନ ପ୍ରଚାରରେ ନ ଯିବା ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଇଛି । ସ୍ବାଧୀନତା ପାଇଁ ଏହା ଦ୍ବିତୀୟ ଲଢ଼େଇ ବୋଲି ସେ କହିଛନ୍ତି । ‌ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ହେଉଛନ୍ତି ଆଜିର ଯୁଗର ଭଗତ ସିଂହ । ସ୍ବାଧୀନତାର ୭୫ ବର୍ଷ ପରେ ଦେଶକୁ ଏଭଳି ଶିକ୍ଷା ମନ୍ତ୍ରୀ ମିଳିଛନ୍ତି ହେଲେ ତାଙ୍କୁ ବିଜେପି ମିଛ ମାମଲାରେ ଫସାଇ ନିଜ କ୍ଷମତାର ଦୁରୁପଯୋଗ କରୁଛି ବୋଲି ସେ କହିଛନ୍ତି।