ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ଭାବ୍ୟ ବାତ୍ୟା ନେଇ ଆଜି ଅପରାହ୍ନରେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି)ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଓଏସ୍‌ଡିଏମ୍‌ଏ କାର୍ଯ୍ୟକାରୀ ନିର୍ଦ୍ଦେଶକ ଜ୍ଞାନ ଦାଶ କହିଛନ୍ତି ଯେ, ଲଘୁଚାପ ନେଇ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି।ଏହି ସମୟରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ମୁଖ୍ୟ କାର୍ଯ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ପଡ଼ୋଶୀ ଅଞ୍ଚଳ ଉପରେ ସୋମବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତରରେ ଅବସ୍ଥିତ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ (ବୁଧବାର ଅଥବା ଗୁରୁବାର ସକାଳ ସୁଦ୍ଧା) ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ ପୂର୍ବଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଲଘୁଚାପଟି ଅଧିକ ଘନୀଭୂତ ହେବା ସହ ଏହାର ତୀବ୍ରତା ବଢ଼ିବ ଏବଂ ଏହା କେନ୍ଦ୍ରୀୟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତିକରିବ।

୨୧ ତାରଖରୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇପରେ! ୨୨ କିମ୍ବା ୨୩ ତାରିଖ ବେଳକୁ ଲଘୁଚାପଟି ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ! ତେବେ, ଲଘୁଚାପ ସୃଷ୍ଟି ହେବାପରେ ହିଁ ଯାଇ ଏସବୁର ଏକ ଆବଳନ କରିହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅକ୍ଟୋବର ମାସଟି ବଙ୍ଗୋପସାଗର ଓ ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ। ତେବେ, ଏହାର ଅର୍ଥ ନୁହେଁ ଯେ ଅକ୍ଟୋବର ମାସରେ ସୃଷ୍ଟି ହେଉଥିବା ସବୁ ବାତ୍ୟା ଓଡ଼ିଶା ମୁହାଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।