ଆନ୍ଧ୍ରପ୍ରଦେଶରେ ପ୍ରବେଶ କଲା କଂଗ୍ରେସର ଭାରତ ଯୋଡ଼ ଯାତ୍ରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଏବେ ଆନ୍ଧ୍ର ପ୍ରଦେଶରେ ପହଞ୍ଚିଛି । ୪୧ ଦିନର ଏହି ପଦଯାତ୍ରା ମଧ୍ୟରେ କଂଗ୍ରେସ ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲାରେ ପ୍ରବେଶ କରିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସନ୍ଧ୍ୟାରେ ମୁନିକୁର୍ଥୀ ଗ୍ରାମରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବେ ।

ଗତକାଲି ରାହୁଲ ଗାନ୍ଧୀ ଆନ୍ଧ୍ର ପ୍ରଦେଶର ହାଲହରାଭି ବସଷ୍ଟାଣ୍ଡ ନିକଟ ରାମ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରି ହାତିବେଲାଗଲରେ ଶେଷ କରିଥିଲେ । ସେଠାରେ କିଛି ସମୟର ବିଶ୍ରାମ ନେଇ ଆଜି ପୁଣି ପଦଯାତ୍ରା ଆରମ୍ଭ ହୋଇଥିବା ସୂଚନା ରହିଛି । ଏହାପରେ ସେ ମୁନିକୁର୍ଥୀ ଗ୍ରାମରେ ପହଞ୍ଚିବେ । ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ । ରାତିରେ ରାହୁଲ ଆଡୋନି ମଣ୍ଡଳର ଚାଗି ଗ୍ରାମରେ ରାତ୍ରୀ ରହଣୀ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୧ ତାରିଖ ଯାଏଁ ଆନ୍ଧ୍ର ପ୍ରଦେଶରେ ଭାରତ ଯୋଡ଼ ଯାତ୍ରା ଜାରି ରହିବ ।

ପ୍ରକାଶଥାଉ କି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଜାରି ରହିଛି । ଗତ ସେପ୍ଟେମ୍ବରରୁ ଚାଲିଥିବା କଂଗ୍ରେସ ଯାତ୍ରା ୫୧୧ କିଲୋମିଟର ଅତିକ୍ରମ ପରେ ଅକ୍ଟୋବର ୨୧ରେ ଶେଷ ହେବ । ୧୫୦ ଦିନର ଏହି ଯାତ୍ରାରେ ୧୨ ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । ରାହୁଲଙ୍କ ନେତୃତ୍ବରେ ମୋଟ ୧୧୮ କଂଗ୍ରେସ ନେତା ଓ କର୍ମୀ ପ୍ରତିଦିନ ୬ ରୁ ୭ ଘଣ୍ଟା ପଦଯାତ୍ରା କରୁଛନ୍ତି । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ବିଫଳ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦାମ ବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ କଂଗ୍ରେସ ଏହି ଯାତ୍ରାରେ ପ୍ରୟାସ ଜାରି ରଖିଛି । ତେବେ ତାମିଲନାଡୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କେରଳ ଓ କର୍ଣ୍ଣାଟକ ହୋଇ ଚତୁର୍ଥ ରାଜ୍ୟ ଭାବେ ଏବେ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିଛି।

ସେପଟେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ଆରମ୍ଭରୁ ହିଁ ବିରୋଧୀ କଡା ସମାଲୋଚନା କରି ଆସୁଛନ୍ତି । କେତେବେଳେ ଭାରତ ଯୋଡ଼ ପ୍ରସଙ୍ଗ ତ କେତେବେଳେ ରାହୁଲଙ୍କ ମହଙ୍ଗା ଟି ସାର୍ଟ ତ ଆଉ କେତେବେଳେ ରାହୁଲଙ୍କ ଟୁଇଟ ‘ହାଫ ପ୍ୟାଣ୍ଟ’କୁ ନେଇ ବିଜେପି ପକ୍ଷରୁ ସମାଲୋଚନା କରାଯାଉଛି । ଏହାସତ୍ତ୍ବେ ରାହୁଲଙ୍କ ଭାରତ ଯୋଡ଼ ପଦଯାତ୍ରା ଜାରି ରହିଛି ।

Related Posts