ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆକ୍ସନ ମୁଡ୍‌ରେ ମହାରାଷ୍ଟ୍ର ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ( ଏଟିଏସ୍ )। ମୁମ୍ବାଇର ପନଭେଲରୁ ୪ ପିଏଫ୍‌ଆଇ କର୍ମଚାରୀଙ୍କୁ ଗିରଫ କରିଛି ଏଟିଏସ୍। ଯେଉଁ ୪ ଜଣ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ପିଏଫ୍‌ଆଇ ଷ୍ଟେଟ୍ ଏକ୍ସପେନ୍‌ସନ୍ କମିଟି ସଦସ୍ୟ, ଜଣେ ପିଏଫ୍‌ଆଇର ସମ୍ପାଦକ ଓ ଆଉ ଦୁଇ ଜଣ ପିଏଫ୍‌ଆଇର ସଦସ୍ୟ ବୋଲି ଜଣା ପଡ଼ିଛି। ଗୁଇନ୍ଦା ସୂଚନା ଆଧରରେ ଏମାନଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ୟାନ୍ ସତ୍ତ୍ୱେ ପିଏଫ୍‌ଆଇ ସହ ଜଡିତ ଲୋକେ ଆଗକୁ ରଣନୀତି ପ୍ରସ୍ତୁତ କରିବା ପାଇଁ ପନବେଲ୍‌ରେ ଗୁପ୍ତ ଭାବେ ବୈଠକ ଚଳାଇଥିଲେ। ଏହି ସୂଚନା ମିଳିବା ପରେ ଏଟିଏସ୍ ପକ୍ଷରୁ ଚଢ଼ାଇ କରାଯାଇଛି ଏହି ୪ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧ ୟୁଏପିଏ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିସହ ଏମାନଙ୍କୁ ଆଜି ମୁମ୍ବାଇ ପନବେଲ କୋର୍ଟରେ ହାଜର କରାଯିବ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଗତ ମାସରେ ଇସଲାମ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ଆଇଏସଆଇଏସ ଭଳି ବିଶ୍ୱ ଆତଙ୍କବାଦୀ ଗୋଷ୍ଠୀ ସହ ଲିଙ୍କ ଥିବା ଅଭିଯୋଗ କରିଥିଲେ ଏବଂ ଆତଙ୍କବାଦ ବିରୋଧୀ ଆଇନ ୟୁଏପିଏ ଅଧୀନରେ ଦେଶରେ ସାମ୍ପ୍ରଦାୟିକ ଘୃଣା ବିସ୍ତାର କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ୫ ବର୍ଷ ପାଇଁ ବ୍ୟାନ୍ କରିଥିଲେ। ଏହାପୂର୍ବରୁ ଏନଆଇଏ ସାରା ଦେଶରେ ପିଏଫ୍‌ଆଇର ବିଭିନ୍ନ ଠିକଣା ଉପରେ ଚଢ଼ାଉ କରି ୧୦୦ ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲା। କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆସାମ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପୁଡୁଚେରୀ, ଦିଲ୍ଲୀ ଏବଂ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ ଏହି ଗିରଫଦାରୀ କରାଯାଇଥିଲା।