‘ମୁସଲମାନ ମାନେ ଲକ୍ଷ୍ମୀପୂଜା କରନ୍ତି ନାହିଁ, ସେମାନେ କ’ଣ ଧନୀ ନୁହନ୍ତି ?’: ବିଜେପି ବିଧାୟକଙ୍କ ବୟାନକୁ ନେଇ ବିବାଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁସଲମାନ ମାନେ ଲକ୍ଷ୍ମୀପୂଜା କରନ୍ତି ନାହିଁ। ତା’ ଅର୍ଥ କ’ଣ ସେମାନେ ଧନୀ ନୁହନ୍ତି ? ଏପରି କହି ବୁଧବାର ଦିନ ବିହାର ବ‌ିଜେପିର ବିଧାୟକ ଲଲନ୍‌ ପାସ୍‌ୱାନ୍‌ ବିବାଦର ସୂତ୍ରପାତ କରିଛନ୍ତି।ବିହାରର ବାଘଲପୁର ଜିଲ୍ଲାର ପୀର୍‌ପୈନ୍ତୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପାସ୍‌ୱାନ୍‌ ହିନ୍ଦୁଙ୍କ ବିଶ୍ବାସ ଉପରେ ସନ୍ଦେହ ପ୍ରକଟ କରିବା ସହ ତାଙ୍କ ମତ ସାବ୍ୟସ୍ତ କରିବାକୁ ପ୍ରମାଣ ସହ ଯୁକ୍ତି ବାଢ଼ିଛନ୍ତି।

ଦୀପାବଳି ଦିନ ଲକ୍ଷ୍ମୀଦେବୀଙ୍କୁ ପୂଜା କରିବା କଥାରେ ମଧ୍ୟ ପାସ୍‌ୱାନ୍‌ ନିଜର ଆପତ୍ତି ଜାହିର କରିଛନ୍ତି। ସେ କହିଛନ୍ତି ଯେ, କେବଳ ଯଦି ଲକ୍ଷ୍ମୀଙ୍କୁ ପୂଜା କରି ଆମେ ସମ୍ପତ୍ତି ପାଇ ପାରନ୍ତେ, ତେବେ ମୁସଲମାନମାନଙ୍କ ମଧ୍ୟରେ ‘ବିଲିୟନେୟାର୍‌’ ଓ ‘ଟ୍ରିଲିୟନେୟାର୍‌’ ନ ଥାନ୍ତେ। ମୁସଲମାନମାନେ ଲକ୍ଷ୍ମୀଦେବୀଙ୍କୁ ପୂଜା କରନ୍ତି ନାହିଁ, ସେମାନେ କ’ଣ ଧନୀ ନୁହନ୍ତି? ମୁସଲମାନମାନେ ଦେବୀ ସରସ୍ବତୀଙ୍କୁ ପୂଜା କରନ୍ତି ନାହିଁ। ମୁସଲମାନଙ୍କ ମଧ୍ୟରେ କ’ଣ ବିଦ୍ବାନ୍‌ ନାହାନ୍ତି? ସେମାନେ କ’ଣ ‘ଆଇଏଏସ୍‌’ କି ‘ଆଇପିଏସ୍‌’ ହେଉନାହାନ୍ତି? ବୋଲି ପ୍ରଶ୍ନ କରିଛନ୍ତି ପାସ୍‌ୱାନ୍‌।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆତ୍ମା ଓ ପରମାତ୍ମା ଧାରଣା ହେଉଛି କେବଳ ଲୋକବିଶ୍ବାସ। ସେ କହିଛନ୍ତି ଯେ, ବିଶ୍ବାସ କଲେ ଠାକୁର, ନ କଲେ ପଥର। ଦେବାଦେବୀଙ୍କୁ ବିଶ୍ବାସ କରିବା ନ କରିବା ଆମ ଉପରେ ନିର୍ଭର କରେ। ଯୌକ୍ତିକ ନିର୍ଣ୍ଣୟରେ ପହଞ୍ଚିବା ପାଇଁ ଆମକୁ ବିଜ୍ଞାନ ଆଧାରରେ ଚିନ୍ତା କରିବାକୁ ପଡ଼ିବ। ଆପଣ ଦେବୀ ଦେବତାରେ ବିଶ୍ବାସ ନ କଲେ, ବୌଦ୍ଧିକ କ୍ଷମତା ବୃଦ୍ଧି ପାଇବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଜରଙ୍ଗବଲୀ ସାମର୍ଥ୍ୟ ଦେବତା ଓ ସେ ସାମର୍ଥ୍ୟ ପ୍ରଦାନ କରନ୍ତି ବୋଲି ବିଶ୍ବାସ କରାଯାଏ। ସଂଖ୍ୟାଲଘୁମାନେ ବଜରଙ୍ଗବଲୀ ପୂଜନ୍ତି ନାହିଁ। ସେମାନେ କ’ଣ ଶକ୍ତିଶାଳୀ ନୁହନ୍ତି? ଯେଉଁ ଦିନ ଆପଣ ଏସବୁ ବିଶ୍ବାସ କରିବେ ନାହିଁ, ସେଦିନ ଏ ସବୁର ଅବସାନ ଘଟିବ ବୋଲି ସେ କହିଛନ୍ତି।

ତେବେ ବିଧାୟକ ପାସ୍‌ୱାନ୍‌ଙ୍କର ଏପରି ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ବାଘଲପୁରର ଶେର୍‌ମାରି ବଜାରରେ ପ୍ରତିବାଦ ପ୍ରଦର୍ଶନ କରାଯିବା ସହ ତାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି।

Related Posts