ଭୁବନେଶ୍ବର: ଆସନ୍ତା‌ ଡିସେମ୍ବରରୁ ଜାନୁଆରି ମଧ୍ୟରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ କେନ୍ଦ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା (ସିଟିଇଟି) । କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି-ଅନ୍‌ଲାଇନ୍‌) ମାଧ୍ୟମରେ ହେବ ପରୀକ୍ଷା । ସିଲାବସ୍‌, ଭାଷା, ଯୋଗ୍ୟତା, ପରୀକ୍ଷା ଫି, ପରୀକ୍ଷା ହେବାକୁ ଥିବା ସହର, ପ୍ରମୁଖ ତାରିଖ ସମ୍ପର୍କରେ ସିଟିଇଟି ୱେବସାଇଟ୍‌ https://ctet.nic.in ରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ବୋଲି ଦର୍ଶାଯାଇଛି।

ଏହି ପରୀକ୍ଷା‌ ଲାଗି ଆସନ୍ତା ଅକ୍ଟୋବର 31ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ନଭେମ୍ବର 24 ଯାଏ ଚାଲିବ ଆବେଦନ ପ୍ରକ୍ରିୟା। ନଭେମ୍ବର 26 ଅପରାହ୍ନ 3 ଟା 30 ସୁଦ୍ଧା ଫି’ ଦାଖଲ କରିପାରିବେ । ଜେନେରାଲ ଓ ଓବିସି ପିଲାଙ୍କ ପାଇଁ ପେପର 1 କିମ୍ବା ପେପର 2 ପାଇଁ 1000 ଟଙ୍କା ଥିବା ବେଳେ ଦୁଇଟି ପେପର ପାଇଁ 1200 ଟଙ୍କା ରହିଛି । ସେହିପରି ଏସଟି ଓ ଏସସି ପିଲାଙ୍କ ପାଇଁ ପେପର 1 କିମ୍ବା ପେପର 2 ପାଇଁ 500 ଟଙ୍କା ରହିଥିବା ବେଳେ ଉଭୟ ପେପର ପାଇଁ 600 ଟଙ୍କା ଧାର୍ଯ୍ୟ କରାଯାଇଛି । ଆବେଦନ କରିବା ପୂର୍ବରୁ ୱେବସାଇଟ୍‌ରେ ଉପଲବ୍ଧ ଥିବା ସମସ୍ତ ତଥ୍ୟ ଓ ନିର୍ଦ୍ଦେଶାବଳୀକୁ ଭଲ ଭାବେ ପଢ଼ିବାକୁ ଆଶାୟୀଙ୍କୁ ପରାମର୍ଶ ଦିଆଯାଇଛି । ‌ସହରରେ ଉପଲବ୍ଧ ସିଟ୍‌ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଆଲଟ୍‌ କରାଯିବ । ତେଣୁ ଯେଉଁମାନେ ପ୍ରଥ‌ମେ ଯେଉଁ ସହର ଲାଗି ଆବେଦନ କରିବେ ସେମାନେ ସମ୍ପୃକ୍ତ ସହରରେ ହିଁ ପରୀକ୍ଷା ଦେବେ ।

ଆସନ୍ତା 26 ତାରିଖ 11 ଟା 45 ପର୍ଯ୍ୟନ୍ତ ଫର୍ମ ପୂରଣ ଜାରି ରହିବ । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଓଟିଇଟି ଦ୍ୱିତୀୟ ପରୀକ୍ଷା । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହର ଭଳି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ । ଦୁଇଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ।