ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହେବ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଦର୍ଶନୀ’। ୬ ମାସ ପାଇଁ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ସୁଭାଷ ବୋଷ ଟ୍ରଷ୍ଟ ପକ୍ଷରୁ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏ ସଂପର୍କରେ ରାଜ୍ୟ ସଂଗ୍ରହାଳୟକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖି ଉତ୍ତର ମଗା ଯାଇଥିଲା । ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏହି ଚିଠିର ଉତ୍ତର ଦିଆଯାଇଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ଖୁବ୍ଶୀଘ୍ର ଚିଠି ଲେଖାଯିବ ବୋଲି ସୂଚନା ମିଳିଛି।
ତେବେ ଏହି ପ୍ରଦର୍ଶନୀରେ ନେତାଜୀଙ୍କ ଜନ୍ମ, ବାଲ୍ୟକାଳଠାରୁ ଆରମ୍ଭ କରି ‘ଆଜାଦ ହିନ୍ଦ୍ ଫୌଜ୍’ର ଗଠନ, ନେତାଜୀଙ୍କ କିଛି ଅନାଲୋଚିତ କାହାଣୀ ଓ ବିଭିନ୍ନ ଫଟୋଚିତ୍ରକୁ ନେଇ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ। ରାଜ୍ୟ ସଂଗ୍ରହାଳୟର ‘ପ୍ରଦର୍ଶନୀ ଗ୍ୟାଲେରି’ରେ ଏହା ପ୍ରଦର୍ଶିତ ହେବାକୁ ଯାଉଥିବା ବେଳେ ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ଏହା ଛାତ୍ରଛାତ୍ରୀ, ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ବେଶ୍ ସହାୟ ହେବ ବୋଲି ଆଶା ରଖାଯାଇଛି।
