
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାତ୍ମା ଗାନ୍ଧୀଙ୍କ ବଦଳରେ ନୋଟ ଉପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫୋଟୋ ଛାପିବାକୁ ଦାବି କରିଛି ଅଖିଳ ଭାରତ ହିନ୍ଦୁ ମହାସଭା (ଏବିଏଚଏମ) । ଯୁକ୍ତି ଦର୍ଶାଇଛି ଯେ ସ୍ୱାଧୀନତା ସଂଗ୍ରାମରେ ନେତାଜୀ ବୋଷଙ୍କ ଅବଦାନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତୁଳନାରେ କମ୍ ନୁହେଁ । କୋଲକାତାରେ ହିନ୍ଦୁ ମହାସଭା ଦ୍ୱାରା ଆୟୋଜିତ ଦୁର୍ଗା ପୂଜା କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ସହ ମେଳ ଖାଉଥିବା ମହିଷାସୁରଙ୍କ ପ୍ରତିମା ସ୍ଥାପନକୁ ନେଇ ଉତ୍ତେଜନା ପ୍ରକାଶ ପାଇବାର କିଛି ସପ୍ତାହ ପରେ ସଂଗଠନ ପକ୍ଷରୁ ଏହି ଦାବି କରାଯାଇଛି ।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏବିଏଚଏମ ରାଜ୍ୟ ସଭାପତି ଚନ୍ଦ୍ରଚୁଡ ଗୋସ୍ୱାମୀ କହିଛନ୍ତି ଯେ, ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ମହାତ୍ମା ଗାନ୍ଧୀଙ୍କ ତୁଳନାରେ କିଛି କମ୍ ନୁହେଁ । ତେଣୁ ଭାରତର ସର୍ବଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ ନେତାଜୀଙ୍କୁ ସମ୍ମାନିତ କରିବାର ସର୍ବୋତ୍ତମ ଉପାୟ ହେଉଛି ମୁଦ୍ରା ଏବଂ ନୋଟରେ ତାଙ୍କ ଛବି ଛାପିବା । ଗାନ୍ଧିଜୀଙ୍କ ଚିତ୍ରକୁ ନେତାଜୀଙ୍କ ଛବି ସହିତ ବଦଳାଇବା ଉଚିତ୍ ।
ସୂଚନାଯୋଗ୍ୟ ଯେ, ଗତ ଦୁର୍ଗାପୂଜାରେ ଅଖିଳ ଭାରତ ହିନ୍ଦୁ ମହାସଭାର ଦକ୍ଷୀଣପୂର୍ବ କଲିକତାରେ ଏକ ଦୁର୍ଗା ପୂଜା ପେଣ୍ଡାଲରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସୁର ରୂପରେ ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ହିନ୍ଦୁ ମହାସଭାର ବିରୋଧରେ ଅଭିଯୋଗ କରାଯାଇଥିଲା । ଏହି ମୂର୍ତ୍ତି ସହିତ ମହିଷାସୁରା ସମେତ ଦେବୀ ଦୁର୍ଗାଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଅସୁର ମାନଙ୍କର ମୂର୍ତ୍ତି ତିଆରି କରାଯାଇଥିଲା । ଏହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଗୋଟିଏ ଗାନ୍ଧିଜୀଙ୍କ ସହିତ ସମାନ ମୂର୍ତ୍ତି ଥିଲା । ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୁଳ କଂଗ୍ରେସ ଏବଂ ବିରୋଧୀ ବିଜେପି ଏହାକୁ ନିନ୍ଦା କରିଥିଲେ । ଏହି ଘଟଣାରେ ଆକ୍ରୋଶ ବଢବା ପରେ ମହାତ୍ମା ଗାନ୍ଧୀଙ୍କ ପରି ମୂର୍ତ୍ତି ହଟାଇ ଦିଆଯାଇଥିଲା। ଦୁର୍ଗା ପାଣ୍ଡାଲରେ ଏହି ପ୍ରତିମୂର୍ତ୍ତି ବିଷୟରେ ଜଣେ ସାମ୍ବାଦିକ ପ୍ରଥମେ ଟ୍ୱିଟ୍ କରିଥିଲେ । ଏହା ପରେ କୋଲକାତା ପୋଲିସର ଅନୁରୋଧ କ୍ରମେ ସେ ସୋସିଆଲ ମିଡିଆରୁ ତାଙ୍କ ଟ୍ବିଟ୍ ହଟାଇ ଦେଇଥିଲେ । ସାମ୍ବାଦିକ କହିଥିଲେ ଯେ ପୋଲିସ ତାଙ୍କୁ ଏହି ଟ୍ବିଟ୍ ହଟାଇବାକୁ କହିଛି, କାରଣ ଏହା ଉତ୍ସବରେ ଉତ୍ତେଜନା ସୃଷ୍ଟି କରିପାରେ ।